ସାଧାରଣତନ୍ତ୍ର ଦିବସ ଭାରତର ଏକ ଜାତୀୟ ଦିବସ ରୂପେ ପରିପାଳିତ ହେଉଛି। ଏହା ଦେଶବାସୀଙ୍କର ଆତ୍ମସମୀକ୍ଷା ଓ ସଂକଳ୍ପ ଦିବସ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏ ପରିପ୍ରେକ୍ଷୀରେ ବ୍ୟକ୍ତିବିଶେଷ ଦେଶର ଜାତୀୟ ସଂହତି ଅକ୍ଷୁଣ୍ଣ ରଖିବାକୁ ସଦାଚେଷ୍ଟିତ ହୋଇଥାଆନ୍ତି। ବିଶ୍ୱର ସର୍ବବୃହତ୍ ଲୋକତନ୍ତ୍ରର ଦେଶ ହେଉଛି ଭାରତବର୍ଷ। ଏହି ଦେଶରେ ଜାନୁୟାରୀ ୨୬ ତାରିଖକୁ ପ୍ରତିବର୍ଷ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ। କାରଣ ଏହି ଦିନ ଆମର ସମ୍ବିଧାନ ପ୍ରଣୟନ ହୋଇଥିଲା। ଗଣତନ୍ତ୍ର ଦିବସ ଏକ ରାଷ୍ଟ୍ରୀୟ ପର୍ବ। ଗଣତନ୍ତ୍ର ଦିବସରେ ଭାରତବାସୀ ନିଜର ଅଦ୍ୱିତୀୟ ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମୋର୍ପିତ କରିଥିଲେ। ଏଥିପାଇଁ ଏହି ଦିନରେ ସମସ୍ତଙ୍କ ନିମନ୍ତେ ସମ୍ବିଧାନର ମୌଳିକ ମୂଲ୍ୟବୋଧ ସମ୍ପର୍କରେ ଗଭୀରଭାବେ ବିଚାର କରିବାର ଅବସର ଆସିଛି । ସମ୍ବିଧାନରେ ରେଖାଙ୍କିତ ନ୍ୟାୟ ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃତ୍ୱର ମୂଲ୍ୟବୋଧ ଆମ ସମସ୍ତଙ୍କ ପାଇଁ ଏକ ପୁଣ୍ୟ ଆଦର୍ଶ। କେଉଁ ଅନାଦି କାଳରୁ ଏ ଭାରତ ଭୂମି ଏବଂ ଏଠାକାର ସଭ୍ୟତା ଏକ ସ୍ବତନ୍ତ୍ର ମୂଲ୍ୟବୋଧକୁ ଧରି ରଖିଛି । ଏଠାକାର ନ୍ୟାୟ, ସ୍ବତନ୍ତ୍ରତା, ସମତା ଏବଂ ଭ୍ରାତୃଭାବ ଆମର ଜୀବନ ଦର୍ଶନର ଶାଶ୍ୱତ ସିଦ୍ଧାନ୍ତ। ଏହାର ଅନବରତ ପ୍ରବାହ ଆମ ସଭ୍ୟତାର ଆରମ୍ଭରୁ ମଧ୍ୟ ରହିଆସିଛି। ଆମ ସମସ୍ତଙ୍କ ଜୀବନକୁ ସମୃଦ୍ଧ କରିଆସୁଛି, ଯାହାର ପ୍ରମାଣ ଏହି ଜନରାଜ୍ୟ ଦିବସ।
ଭାରତର ସ୍ବାଧୀନତା ପ୍ରାପ୍ତି ପରେ ରାଷ୍ଟ୍ରନାୟକ ଡ. ଆମ୍ବେଡକର ସ୍ବାଧୀନ ରାଷ୍ଟ୍ରକୁ କେତେକ ନୀତି ନିୟମରେ ଚଳାଇବା ନିମନ୍ତେ ସମ୍ବିଧାନ ପ୍ରଣୟନ କରିଥିଲେ । ସେହି ପ୍ରଣିତ ସମ୍ବିଧାନ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ଗୃହୀତ ହୋଇ କାର୍ଯ୍ୟକାରୀ କରାଯାଇଥିଲା। ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ଆମ ଗଣତନ୍ତ୍ର। ଆମ ମୈତ୍ରୀ ଓ ସାମୂହିକଭାବ ଆସିଛି ଆମ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ପ୍ରଭାବରୁ ।
ସମ୍ବିଧାନର ଆଦର୍ଶକୁ ବେଦବାକ୍ୟ ପରି ସର୍ବଦା ସମସ୍ତେ ମନେରଖିବା ଉଚିତ। ସମତା ଆମ ଗଣତନ୍ତ୍ରର ମହାନ୍ ଯଜ୍ଞର ବୀଜମନ୍ତ୍ର। ସାମାଜିକ ସମତାର ଆଦର୍ଶ ପ୍ରତ୍ୟେକ ବ୍ୟକ୍ତିର ଗରିମା ସୁନିଶ୍ଚିତ କରିଥାଏ। ଏଣୁ ସମସ୍ତେ ସାମ୍ବିଧାନିକ ନୈତିକତା ମାର୍ଗରେ ନିରନ୍ତର ଗତି କରିବା ଉଚିତ।
-ଅମୂଲ୍ୟ କୁମାର ପଣ୍ଡା
ଅରଙ୍ଗାବାଦ, ବରୀ, ଯାଜପୁର, ମୋ: ୯୯୩୮୯୦୬୦୭୦