୧୧ ଘଣ୍ଟାରେ ବଦଳିଗଲା ସମୀକରଣ…

ମସ୍କୋ/ଓ୍ବାଶିଂଟନ,୨୨।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମାତ୍ର ୧୧ ଘଣ୍ଟା ମଧ୍ୟରେ ସମୀକରଣ ବଦଳି ଯାଇଛି। ସୋମବାର ସକାଳେ ଆମେରିକା ରାଷ୍ଟ୍ରପତି ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ବିଳିମ୍ବିତ ରାତିରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଆମେରିକା ଗୁପ୍ତଚର ସଂସ୍ଥା ଦାବି କରିଥିଲେ ଯେ, ପୁଟିନ୍‌ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି।

ରାତି ୧୧ଟାରେ ପୁଟିନ୍‌ ରୁଷିଆ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଅଧିକୃତ ଡୋନୋତସ୍କ୍‌ ଏବଂ ଲହାଂସ୍କ ସହରକୁ ସ୍ବତନ୍ତ୍ର ଘୋଷଣା କରିଛନ୍ତି। ଏହା ଦ୍ୱାରା ଯୁଦ୍ଧ ଘୋଷଣା ସ୍ପଷ୍ଟ ହୋଇଛି। ଏହାପରେ ପୁଟିନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଏହି ଦୁଇ ସହରରେ ଶାନ୍ତି ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଟିଏ ଦିନ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତାହା କାମ ଦେଇନାହିଁ। ଯୁଦ୍ଧ ଘୋଷଣା ପୂର୍ବରୁ ଇତିମଧ୍ୟରେ ରୁଷିଆ ୟୁକ୍ରେନ୍‌ ବିରୋଧରେ ଅପରେଶନ୍‌ ଜେଡ୍‌ ଆରମ୍ଭ କରି ସାରିଛି।

ବ୍ରିଟିଶ ଖବରକାଗଜ ଡେଲି ମେଲର ରିପୋର୍ଟ ଅନୁଯାୟୀ, ରୁଷିଆର ଏହି ଅପରେଶନରେ ବ୍ୟବହୃତ ତୋପ ଗୁଡ଼ିକରେ ଇଂଲିଶ୍‌ରେ ‘ଜେଡ୍‌’ ଅକ୍ଷର ଳେଖାଯାଇଛି। ‘ଜେଡ୍‌’ ଅକ୍ଷର କେବଳ ତୋପ ଉପରେ ନୁହେଁ, ବନ୍ଧୁକ, ଇନ୍ଧନ ଟ୍ରକ ଏବଂ ପରିବହନ ଯାନ ଉପରେ ମଧ୍ୟ ଲେଖାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସୀମାବର୍ତ୍ତୀ କୁର୍ସ୍କ ନିକଟରେ ଏବଂ ବେଲଗୋରୋଡଠାରେ ରୁଷିଆର ତୋପ ଏବଂ ସୈନ୍ୟ ଦଳଙ୍କୁ ଦେଖିବାକୁ ମିଳିଛି। ପ୍ରାୟ ୨୦୦ ରୁଷୀୟ ସାମରିକ ଯାନଗୁଡ଼ିକ ଉପରେ ‘ଜେଡ୍‌’ ଲେଖା ଯାଇଛି। ଯାହା ତରବରିଆ ଭାବେ ଚିହ୍ନିତ ହୋଇଥିବାର ଅନୁମାନ କରାଯାଉଛି। ଏଭଳି ଚିହ୍ନ ଦ୍ୱାରା ଶତ୍ରୁ ଏବଂ ମିତ୍ର ମଧ୍ୟରେ ପାର୍ଥକ୍ୟ ଜାଣି ହେବ ବୋଲି କୁହାଯାଉଛି। କାରଣ ୟୁକ୍ରେନ୍‌ ଏବଂ ରୁଷିଆ ପାଖରେ ସମାନ ପ୍ରକାର ଯୁଦ୍ଧ ଉପକରଣ ରହିଛି। ତେଣୁ ରୁଷିଆ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

 

Share