ଏରିକ୍‌ ଭାରତରେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୧ା୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଲସ୍‌ ଏଞ୍ଜେଲ୍ସ ମେୟର ଏରିକ୍‌ ଗାରସେଟିଙ୍କୁ ଭାରତରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବେଳେ ଏହି ପଦରେ ଥିବା କେନେଥ୍‌ ଜଷ୍ଟରଙ୍କ ସ୍ଥାନରେ ୫୦ ବର୍ଷୀୟ ଏରିକ୍‌ ଦାୟିତ୍ୱ ତୁଲାଇବେ ବୋଲି ଆମେରିକା ସିନେଟ୍‌ ନିଶ୍ଚିତ କରିଛି। ଏରିକ୍‌ ୨୦୧୩ରୁ ଲସ୍‌ ଏଞ୍ଜେଲ୍ସର ମେୟର ଥିବାବେଳେ ୧୨ ବର୍ଷ ସିଟି କାଉନ୍‌ସିଲର ସଦସ୍ୟ ସହ କାଉନ୍‌ସିଲ ପ୍ରେସିଡେଣ୍ଟ ରହିଥିଲେ। ୨୦୨୦ରେ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ନିର୍ବାଚନୀ ଅଭିଯାନରେ ଏରିକ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେ ବର୍ତ୍ତମାନ ବିଶ୍ୱର ୯୭ ବୃହତ୍ତମ ସହର ନେଟଓ୍ବର୍କ ସି୪୦ ସହରର ଅଧ୍ୟକ୍ଷ ରହିଛନ୍ତି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା ଅନୁସାରେ ଲକ୍ଷ୍ୟ ହାସଲ ପାଇଁ ସେ ୪ଶହ ଆମେରିକୀୟ ମେୟରଙ୍କ ନେତୃତ୍ୱ ନେଇଛନ୍ତି। ୟୁଏସ୍‌ ନାଭି ରିଜର୍ଭ କମ୍ପୋନେଟ୍‌ରେ ଗୁପ୍ତଚର ଭାବେ ୧୨ ବର୍ଷ କାମ କରିଛନ୍ତି। ୟୁଏସ୍‌ ପାସିଫିକ୍‌ ଫ୍ଲିଟ୍‌ ଆଣ୍ଡ୍‌ ଦି ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିରେ କାର୍ଯ୍ୟ କରି ୨୦୧୭ରେ ଜଣେ ଲ୍ୟୁଟ୍‌ନାଣ୍ଟ ଭାବେ ଅବସର ନେଇଥିଲେ। କୁଇନ୍ସ କଲେଜ, ଅକ୍ସଫୋର୍ଡ ଏବଂ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ ସାଇନ୍ସରୁ ଶିକ୍ଷାଲାଭ କରିଥିଲେ। ଏରିକ୍‌ଙ୍କ ସମେତ ବାଇଡେନ୍‌ ଡେନିସ କାମ୍ପବେଲ ବୌରଙ୍କୁ ମୋନାକୋ, ପିଟର ଡି ହାସ୍‌ଙ୍କୁ ବାଂଲାଦେଶ ଏବଂ ବର୍ନାଡେଟ୍‌ ଏମ୍‌ ମିହାନଙ୍କୁ ଚିଲିରେ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି।

Share