Categories: ଖେଳ

ଆର୍ମେନିଆରେ ଟାଇଟଲ ଜିତିଲେ ଏରିଗାସି

ନୂଆଦିଲ୍ଲୀ, ୧୯ା୬(ପି.ଟି.): ଭାରତୀୟ ଗ୍ରାଣ୍ଡମାଷ୍ଟର ଅର୍ଜୁନ ଏରିଗାସିଙ୍କଠାରୁ ଆଉ ଏକ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଆର୍ମେନିଆର ଜର୍ମୁକ୍‌ଠାରେ ମଙ୍ଗଳବାର ଶେଷ ହୋଇଥିବା ଆଭାଜ୍ଞାନ ମେମୋରିଆଲ ଚେସ୍‌ ଟୁର୍ନାମେଣ୍ଟର ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲ ରାଉଣ୍ଡରେ ସେ ସ୍ଥାନୀୟ ଖେଳାଳି ମାନୁଆଲ ପେତ୍ରୋସ୍ୟାନଙ୍କ ବିପକ୍ଷ ଗେମ୍‌ ଡ୍ର ରଖିଛନ୍ତି। ଅର୍ଜୁନ ହେଉଛନ୍ତି ଏଠାରେ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି। ୧୦ଜଣ ଖେଳାଳିଙ୍କୁ ନେଇ ଏହି ରାଉଣ୍ଡ-ରବିନ ଟୁର୍ନାମେଣ୍ଟରେ ସେ ୬.୫ ପଏଣ୍ଟ ଅର୍ଜନ କରିଛନ୍ତି। ଭାରତୀୟ ଖେଳାଳି ଟୁର୍ନାମେଣ୍ଟରେ ଅପରାଜେୟ ରହିଥିଲେ। ସେ ୪ଟି ଗେମ୍‌ରେ ବିଜୟ ଲାଭ କରିଥିବା ବେଳେ ୫ଟି ଡ୍ର’ ରଖିଥିଲେ। ଫାଇନାଲ ରାଉଣ୍ଡ କେବଳ ଔପଚାରିକତା ଦୃଷ୍ଟିରୁ ଖେଳାଯାଇଥିଲା। କାରଣ ପୂର୍ବ ରାଉଣ୍ଡରେ ଏରିଗାସିଙ୍କ ଟାଇଟଲ ପକ୍କା ହୋଇସାରିଥିଲା। ସେତେବେଳେ ମିଳିତ ଦ୍ୱିତୀୟ ସ୍ଥାନରେ ରହିଥିବା ୩ଜଣ ଖେଳାଳିଙ୍କଠାରୁ ସେ ୧.୫ ବ୍ୟବଧାନରେ ଅଗ୍ରଣୀ ରହିଥିଲେ। ଟୁର୍ନାମେଣ୍ଟରେ ବିଜୟ ଦ୍ୱାରା ର଼୍ୟାଙ୍କିଙ୍ଗ ତାଲିକାରେ ଅର୍ଜୁନ ଉପରକୁ ଉଠିବାରେ ଲାଗିଛନ୍ତି। ବର୍ତ୍ତମାନ ସେ ୨୭୭୮ ଲାଇଭ୍‌ ରେଟିଂ ପଏଣ୍ଟ ସହ ନରଓ୍ବେର ମାଗ୍ନସ କାର୍ଲସେନ ଏବଂ ଆମେରିକାର ଦୁଇ ଜଣ ହିକାରୁ ନାକାମୁରା ଏବଂ ଫିବିଆନୋ କରୁଆନାଙ୍କ ପଛକୁ ବିଶ୍ୱର ୪ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହୋଇପାରିଛନ୍ତି। ଚଳିତବର୍ଷ ପରବର୍ତ୍ତୀ ଭାଗରେ ବିଶ୍ୱ ଚାମ୍ପିୟନଶିପ୍‌ ଚ୍ୟାଲେଞ୍ଜର ଅନୁଷ୍ଠିତ ହେବ। ଡି. ଗୁକେଶ (୨୭୬୩) ବର୍ତ୍ତମାନ ଅର୍ଜୁନଙ୍କଠାରୁ ୧୫ ପଏଣ୍ଟ ପଛରେ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ୭ମ ସ୍ଥାନରେ ରହିଛନ୍ତି। ସେହିପରି ଆର୍‌. ପ୍ରଜ୍ଞାନନ୍ଦ (୨୭୫୭) ୮ମ ସ୍ଥାନରେ ରହିଥିବା ବେଳେ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ (୨୭୫୧) ଏବେ ସୁଦ୍ଧା ଏହି ୩ଜଣ ଯୁବ ଖେଳାଳିଙ୍କ ନିକଟତର ଅର୍ଥାତ ୧୧ଶ ସ୍ଥାନରେ ଅଛନ୍ତି।

Share