ମାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୧।୧୨(ଅସମାପିକା ସାହୁ): ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ। ଫେବୃୟାରୀ ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏପରି ତ୍ରୁଟି ଉଭୟ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଛାତ୍ରୀଛାତ୍ରମାନେ କାହାକୁ ପଢ଼ିବେ, ନିଜ ପାଠ୍ୟକ୍ରମକୁ ନା ପ୍ରଶ୍ନପତ୍ର ନମୁନାକୁ, ତାହା ବୁଝି ପାରୁନାହାନ୍ତି। ସୂଚନା ମୁତାବକ, କିଛିଦିନ ପୂର୍ବେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୨୦୨୪ ମାଟ୍ରିକ ବୋର୍ଡ ପରୀକ୍ଷା ପାଇଁ ୭୧ ପୃଷ୍ଠା ବିଶିଷ୍ଟ ପ୍ରଶ୍ନପତ୍ର ନମୁନା ସମସ୍ତ ବିଦ୍ୟାଳୟକୁ ପଠାଇବା ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିରେ କିଛି ପ୍ରଶ୍ନ ଚଳିତ ବର୍ଷର ପାଠ୍ୟକ୍ରମରେ ନ ଥିବା ଜଣାପଡିଥିଲା। ଇଂଲିଶ ବିଭାଗର ପ୍ରଶ୍ନ ନଂ. ୧, ୪, ୫, ୬, ୭, ୨୦, ୨୧ ଏବଂ ୨୨ ଚଳିତ ବର୍ଷ ଇଂଲିଶ ପାଠ୍ୟକ୍ରମରେ ନାହିଁ। ଉକ୍ତ ଆଠଟି ପ୍ରଶ୍ନପତ୍ର କିଛିବର୍ଷ ପୂର୍ବରୁ ପାଠ୍ୟକ୍ରମରେ ଥିଲା। କିନ୍ତୁ ଏବେ ସେ ବିଷୟ ଆଉ ପଢ଼ାଯାଉନାହିଁ। କିଏ ଏ ପ୍ରଶ୍ନପତ୍ର କରିଥିଲେ କାହିଁକି ଏଭଳି ତ୍ରୁଟି ହେଲା, କିଏ ଏଥିପାଇଁ ଦାୟୀ, କିଏ ଏଭଳି ପିଲାଙ୍କ ଭବିଷ୍ୟତ ସହ ଖେଳିବାକୁ ସାହସ କଲା, ଏ ନେଇ ତୁରନ୍ତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ କିମ୍ବା ବୋର୍ଡ ତରଫରୁ ସ୍ପଷ୍ଟୀକରଣ ଦେବାକୁ ମାଧ୍ୟମିକ ଶିକ୍ଷକ ସଂଘ ନେତା ପ୍ରଦୀପ୍ତ କୁମାର ପ୍ରଧାନ, ଅମରେନ୍ଦ୍ର ସ୍ବାଇଁ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି।

Share