୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ତ୍ରୁଟି

କୁଜଙ୍ଗ,୨୭ା୬(ମନୋଜ ପ୍ରଧାନ): ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ସ୍ବାଧୀନତା ସଂଗ୍ରାମ ଉପରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ସ୍ବାଧୀନତା ଆନ୍ଦୋଳନର ଅନ୍ୟତମ ପରିଚୟ ହେଉଛି ଲବଣ ସତ୍ୟାଗ୍ରହ। ୧୯୩୦ରେ ଗାନ୍ଧିଜୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଲବଣ ସତ୍ୟାଗ୍ରହରେ କୁଜଙ୍ଗର ଅବଦାନ ବିଶ୍ୱବିଦିତ। ଓଡ଼ିଶାର ଇଞ୍ଚୁଡ଼ି ପରି କୁଜଙ୍ଗର ସ୍ଥାନ ସ୍ବତନ୍ତ୍ର। ଇଂରେଜଙ୍କ ଭୟରେ ଯେତେବେଳେ ଲୋକେ ଘରୁ ବାହାରୁ ନ ଥିଲେ ସେତେବେଳେ କୁଜଙ୍ଗ ରାଜ୍ୟର ମହାରାଣୀ ଭାଗ୍ୟବତୀ ପାଟ ମହାଦେଈଙ୍କ ଆହ୍ବାନରେ ପ୍ରାୟ ୭ ହଜାର ମହିଳା ଲବଣ ସତ୍ୟାଗ୍ରହରେ ଯୋଗଦେଇ ଲୁଣ ମାରି ଆଇନ ଅମାନ୍ୟ କରିଥିଲେ। ଆନ୍ଦୋଳନରେ ଏତେ ସଂଖ୍ୟକ ମହିଳାଙ୍କ ଯୋଗଦାନ ସେତେବେଳେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କୁଜଙ୍ଗର କାଳିଆପାଟ ଏହି ଲବଣ ସତ୍ୟାଗ୍ରହର ଅଗ୍ରଗାମୀ ସ୍ଥାନ ଥିଲା। ସେହି ଏକା ସମୟରେ ରମାଦେବୀ, ନାରାୟଣ ବୀରବର ସାମନ୍ତ, ଦୁର୍ଯୋଧନ ପଟ୍ଟନାୟକ, ମନମୋହନ ଚୌଧୁରୀ ପ୍ରମୁଖଙ୍କ ନେତୃତ୍ୱରେ ଚଟୁଆର ବେଡ଼ି ମଠରେ ଏକତ୍ରିତ ହୋଇ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ। ଗାନ୍ଧିଜୀଙ୍କ ଦାଣ୍ଡି ଯାତ୍ରାକୁ ସଫଳ କରିଥିଲେ। ସେହିଦିନ ଇଂରେଜମାନେ ଅକଥନୀୟ ଅତ୍ୟାଚାର କରିଥିଲେ। କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଚଟୁଆ ବଦଳରେ ଗଡୁଆ, କାଳିଆପାଟ ବଦଳରେ କାଳିଘାଟ, ବଗଦିଆ ବଦଳରେ ବଗଡ଼ିଆ ଲେଖାଯାଇଥିବାରୁ ଏସବୁ ଗ୍ରାମରେ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଅସମ୍ମାନ ଓ କୁଜଙ୍ଗର ଐତିହ୍ୟ ପ୍ରତି ଅପମାନ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ମନରେ ଭୁଲ୍‌ ଧାରଣା ସୃଷ୍ଟି ହେଉଛି ବୋଲି ତରାଇ ପ୍ରେସ୍‌ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ତୁରନ୍ତ ତ୍ରୁଟି ସଂଶୋଧନ କରି ପାଠ୍ୟପୁସ୍ତକରେ ୩ ଗ୍ରାମର ଠିକ୍‌ ନାମ ଉଲ୍ଲେଖ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗଣଶିକ୍ଷା ବିଭାଗ ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନ ନେଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯିବ ବୋଲି ସେଥିରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୨୦୨୧ ସଂସ୍କରଣରେ ଏହି ତ୍ରୁଟି ହୋଇଥିଲେ ବି ତାହା ଏପର୍ଯ୍ୟନ୍ତ ସଂଶୋଧନ ହୋଇପାରିନାହିଁ।