ପାଟଣା,୨୮ା୧୦(ସ୍ବ.ପ୍ର.): ଜନନୀ ଓ ନବଜାତକଙ୍କ ସୁରକ୍ଷା ଆଉ ନିରାପଦ ପ୍ରସବ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଅଜସ୍ର ଖର୍ଚ୍ଚ କରୁଥିବା ବେଳେ କର୍ମଚାରୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଜଣେ ପ୍ରସୂତି ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।
କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଖସାପିଟା ସାହିର ଚିଙ୍ଗୁଡୁ ମୁଣ୍ଡାଙ୍କ ସ୍ତ୍ରୀ ସସ୍ମିତା(୧୮)ପ୍ରସବ ବେଦନା ପାଇବାରୁ ଗତ ମଙ୍ଗଳବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବୁଧବାର ସସ୍ମିତାଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ କନ୍ୟା ସନ୍ତାନ ନର୍ମାଲରେ ଜନ୍ମ ହେବା ପରେ ୪୮ ଘଣ୍ଟା ପରେ ଘରକୁ ଡିସ୍ଚାର୍ଜ ହୋଇ ଫେରିଥିଲେ। ପରେ ତାଙ୍କର ଝାଡ଼ା ଫେରିବାରେ କଷ୍ଟ ହେବା ଆଉ ପରିସ୍ରା ନଳୀ ଦେଇ ଝାଡ଼ା ବାହାରିବାରୁ ଏହି ଦମ୍ପତି ଆଶାକର୍ମୀଙ୍କ ସହାୟତାରେ ସୋମବାର ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପରେ ଜାଣିବାକୁ ପାଇଥିଲେ ଯେ, ପ୍ରସବ ଦ୍ୱାର ପରିବର୍ତ୍ତେ ଭୁଲରେ ତାଙ୍କ ମଳଦ୍ୱାରକୁ ସିଲାଇ କରାଯାଇଛି। ଏହାପରେ ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ସଶ୍ମିତାଙ୍କୁ ସର୍ଜରୀ ଓ୍ବାର୍ଡର ଓଟିରେ ଭର୍ତ୍ତି କରିଥିବା ନେଇ ତାଙ୍କ ସ୍ବାମୀ ଚିଙ୍ଗୁଡୁ ଓ ଆଶା କର୍ମୀ ଆଶା ଲତା ମହାନ୍ତ ସୂଚନା ଦେଇଛନ୍ତି। ସେ ଏବେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ଜରୀ ଓ୍ବାର୍ଡରେ ୮୧ ନମ୍ବର ବେଡ୍ରେ ଚିକିତ୍ସିତ ହେଉଛନ୍ତି।