ସବୁ ପରିବାରକୁ ଆବାସ, ଘରକୁ ଆସିବ ପାଣି

ନନ୍ଦପୁର,୧ା୪(ଡି.ଏନ୍‌.ଏ.): ଖରାଦିନେ ସୀମାନ୍ତ ଅଞ୍ଚଳରେ ଜଳକଷ୍ଟକୁ ଏକ ସୁଯୋଗ ଦେଖି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସେଠାରେ ପାଣି ସୁବିଧା କରି ଅନୁପ୍ରବେଶ ଉଦ୍ୟମ ଚଳାଇଥିଲା। କୋରାପୁଟ ଜିଲା ନନ୍ଦପୁର ବ୍ଲକର ରାଇପାହାଡ଼ ଓ ପାନ୍ଥଲୁଙ୍ଗ ପଞ୍ଚାୟତରେ ଆନ୍ଧ୍ର ବିଭିନ୍ନ ସଂସ୍ଥା ଜରିଆରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବାକୁ ଚାଲ୍‌ ଚଳାଇଥିଲା। ଏ ସମ୍ପର୍କରେ ଖବର ପ୍ରକାଶ ପରେ ରାଇପାହାଡ଼ ଗ୍ରାମର ବିକାଶ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଡିଓ ସୁଜିତ କୁମାର ମିଶ୍ରଙ୍କ ପ୍ରତିଶ୍ରୁତି ମୁତାବକ ରାଇପାହାଡ଼ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀଙ୍କ ଉପସ୍ଥିତିରେ ନଳକୂପ ଖନନ କରାଯାଇଛି।
ଆଗକୁ ଗାଁକୁ ରାସ୍ତା ନିର୍ମାଣ ସହ ଗାଁରେ ବସବାସ କରୁଥିବା ସମସ୍ତ ପରିବାରକୁ ସ୍ବତନ୍ତ୍ର ଭାବେ ଆବାସ ଯୋଜନାରେ ସାମିଲ କରାଯାଇ ଗୃହ ନିର୍ମାଣ ସହ ଘରଗୁଡ଼ିକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ବିଡିଓ ସୂଚନା ଦେଇଛନ୍ତି। ଏହାକୁ ରାଇପାହାଡ଼ ଗ୍ରାମବାସୀଙ୍କ ସମେତ ଗୋଲୁର ପଞ୍ଚାୟତର ଜନପ୍ରତିନିଧିମାନେ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଆନ୍ଧ୍ର ପାଣି ଯୋଗାଇବା ଆଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଖବର ପ୍ରକାଶ ପରେ ବିଡିଓଙ୍କ ନିର୍ଦ୍ଦେଶ ମୁତାବକ ପ୍ରଶାସନିକ ଅଧିକାରୀ ରାଇପାହାଡ଼ ଗ୍ରାମକୁ ଯାଇଥିଲେ। ସେଠାରେ ସ୍ଥିତି ପରଖିବା ପରେ ଗୁରୁବାର ସୁଦ୍ଧା ଗଭୀର ନଳକୂପ ଖନନ କରାଯାଇଛି। ପ୍ରଶାସନର ପ୍ରତିଶ୍ରୁତି ମୁତାବକ ବୃଦ୍ଧା ଯାମି ହନ୍ତାଳଙ୍କୁ ପିଇଓ ଭତ୍ତା ପ୍ରଦାନ କରିଛନ୍ତି। ଆଗକୁ ଡୁମୁରିଗୁଡ଼ାଠାରୁ ରାଇପାହାଡ଼କୁ ପକ୍କାରାସ୍ତା ନିର୍ମାଣ କରାଯିବ। ଗାଁରେ ବସବାସ କରୁଥିବା ସମସ୍ତ ପରିବାରକୁ ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଆବାସ ଗୃହ, ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇ ପ୍ରତି ଘରକୁ ଜଳଯୋଗାଣ ବ୍ୟବସ୍ଥା କରାଯିବ। ବିଭିନ୍ନ ପରିଚୟପତ୍ର ଯଥା ଆଧାରକାର୍ଡ, ରାଶନ ଓ ଭୋଟର କାର୍ଡ ଦିଆଯାଇ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରାଯିବ। ରାଇପାହାଡ଼ ଗ୍ରାମ ପରେ ସୀମାନ୍ତବର୍ତ୍ତୀ ଅନ୍ୟ ପଞ୍ଚାୟତର ଗ୍ରାମଗୁଡ଼ିକ ପ୍ରତି ସମାନ ଦୃଷ୍ଟି ଦିଆଯିବ ବୋଲି ବିଡିଓ ମିଶ୍ର ସୂଚନା ଦେଇଛନ୍ତି।