ଇଶା କହିଲେ ‘ମୋ ବାପା ବହୁତ ରୋମାଣ୍ଟିକ୍‌’

ବମ୍ବେ: ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର କାହାଣୀ ଯେତିକି ନୁହେଁ, ତା’ଠୁ ଅଧିକ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ ଚୁମ୍ବନ ଦୃଶ୍ୟ ଚର୍ଚ୍ଚାରେ। ଏହାକୁ ନେଇ ହେମାମାଳିନୀଙ୍କଠାରୁ ଆରମ୍ଭ କରି ବଲିଉଡର ଅନେକ କଳାକାର ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏବେ ଝିଅ ଇଶା ଦେଓଲ ‘ମୋ ବାପା ବହୁତ ରୋମାଣ୍ଟିକ୍‌’ ବୋଲି କହିଛନ୍ତି।

ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଇଶା କହିଛନ୍ତି, ପ୍ରେମ କରିବା ଏବଂ ଚୁମ୍ବନ ଦେବା ଲାଗି କୌଣସି ନିର୍ଦ୍ଧିଷ୍ଟ ବୟସ ଏବଂ ସୀମା ଥାଏ ବୋଲି କିଏ କହିଛି। ମୋ ବାପା ବହୁତ କୁଲ୍‌ ଏବଂ ହ୍ୟାଣ୍ଡସମ। ତାଙ୍କର ବ୍ୟକ୍ତିତ୍ୱ ବି ବେଶ ରୋମାଣ୍ଟିକ୍‌। ସେ ସର୍ବଦା କବିତା କହିବା ସହ ବହୁତ କିଛି କରିଥାନ୍ତି। ସେ ସବୁବେଳେ ଏମିତି ରହି ଆସିଛନ୍ତି। ଶବାନା ଏବଂ ଜୟା ଆଣ୍ଟିଙ୍କୁ ମୁଁ ବହୁତ ପସନ୍ଦ କରେ। ନିର୍ମାତା ଏହି ଦୃଶ୍ୟକୁ ଭଲ ଭାବେ ଶୁଟ୍‌ କରିଛନ୍ତି। ପୋଖତ କଳାକାର ହେତୁ ଏହା ବେଶ ସହଜ ଲାଗୁଛି ବୋଲି ଇଶା କହିଛନ୍ତି।

Share