ଈଶ୍ୱରପ୍ପା ହେଲେ ଈଶ୍ୱର

ଭାରତୀୟ ବ୍ୟବସ୍ଥାରେ ଦୁର୍ନୀତି ଏକ ଅଂଶ ହୋଇଯାଇଛି। ଦୀର୍ଘବର୍ଷ ଶାସନ କରୁଥିବା କଂଗ୍ରେସର ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିଥିଲା। ଏବେ ଭାଜପା ସ୍ବଚ୍ଛ ନୁହେଁ ବୋଲି ସଦ୍ୟ ମିଳିଥିବା ଏକ ପ୍ରମାଣରୁ ଜଣାପଡ଼ିଛି। ନିକଟରେ କର୍ନାଟକ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ. ଏସ୍‌. ଈଶ୍ୱରପ୍ପାଙ୍କ ଇସ୍ତଫା ସେହି ଦଳକୁ ମଧ୍ୟ କାଦୁଅରେ ଫିଙ୍ଗି ଦେଇଛି। ଗୁଜରାଟ ବ୍ୟବସାୟୀ ନୀତିନ ସନ୍ଦେସରା ୫,୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଭାରତ ଛାଡ଼ି ଫେରାର ହୋଇଯାଇଥିବା ଖବର ନିକଟରେ ପ୍ରକାଶ ପାଇଛି। ହେଲେ ଇସ୍ତଫା ଦେଇଥିବା ଈଶ୍ୱରପ୍ପା ବ୍ୟବସାୟୀ ନୀତିନଙ୍କ ଭଳି ଭାଜପା ସମର୍ଥିତ ଗୁଜରାଟୀ ଠକଙ୍କର ଈଶ୍ୱର ଭାବେ ଆବିର୍ଭୂତ ହେଲା ଭଳି ମନେହେଉଛି। କର୍ନାଟକର ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ଓ ପରେ ମନ୍ତ୍ରୀ କେ. ଏସ୍‌. ଈଶ୍ୱରପ୍ପାଙ୍କ ଇସ୍ତଫା ଜଣାଇଦେଇଛି ଭାଜପା ସରକାରର ଆଭ୍ୟନ୍ତରୀଣ ବାସ୍ତବତା। ‘ଭାତହାଣ୍ଡିରୁ ଗୋଟିଏ ଚିପିଲା’ ଭଳି ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଦିଆଯାଇଥିବା ଠିକାଦାରି କାର୍ଯ୍ୟରେ କଣ୍ଟ୍ରାକ୍ଟରଙ୍କଠାରୁ ୪୦ ପ୍ରତିଶତ କମିଶନ ନିଆଯିବା ଯେଭଳି ଏକ ବିଧି କରି ଦିଆଯାଇଛି। କର୍ନାଟକ ରାଜ୍ୟ ଠିକାଦାର ସଂଘ (କେଏସ୍‌ସିଏ) ରାଜ୍ୟର ସରକାରୀ କାର୍ଯ୍ୟରେ ପର୍ଯ୍ୟାପ୍ତ ଲାଞ୍ଚ ମଗାଯାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଗତବର୍ଷ ଜୁଲାଇରେ ଏକ ଚିଠି ଲେଖିଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ୪୦ ପ୍ରତିଶତ କମିଶନ ଦିଆ ନ ଗଲେ କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟ ବିଲ୍‌ରେ ସରକାରୀ ଅଧିକାରୀମାନେ ଦସ୍ତଖତ କରୁନାହାନ୍ତି। ନିର୍ଦ୍ଦିଷ୍ଟ କାର୍ଯ୍ୟ ଲାଗି ବିଧାୟକଙ୍କଠାରୁ ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଲାଞ୍ଚ ନେଉଥିବା ବିଷୟ ଠିକାଦାର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଏକ କ୍ଷୁଦ୍ର ବିଷୟ ନୁହେଁ। ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଓଡ଼ିଆରେ ଢଗ ଅଛି-‘ଖଜୁରି ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ’। ନିଜ ଉପରେ ଆର୍ଥିକ ବୋଝ ପଡ଼ିବାରୁ ଠିକାଦାର ସନ୍ତୋଷ ପାଟିଲ ଯେତେବେଳେ ଆତ୍ମହତ୍ୟା କଲେ ଦୁର୍ନୀତିରେ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ବିଷୟରେ ବହୁତ କଥା ଜଣାପଡ଼ୁଛି। କମିଶନ ମାଗିବା ବିଷୟକୁ କର୍ନାଟକ ଗ୍ରାମୀଣ ବିକାଶ ମନ୍ତ୍ରୀ ଈଶ୍ୱରପ୍ପା ଅସ୍ବୀକାର କରିଥିଲେ ମଧ୍ୟ ପାଟିଲଙ୍କ ଆତ୍ମହତ୍ୟା ସୂଚାଇ ଦେଇଛି ଯେ ସେଠାରେ କେଉଁ ଧରଣର ଦୁର୍ନୀତି ଚାଲିଛି।
ଦୀର୍ଘବର୍ଷ ତଳେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ, କେନ୍ଦ୍ରରୁ ଦିଆଯାଉଥିବା ପ୍ରତି ଟଙ୍କାକରୁ ମାତ୍ର ୧୫ ପଇସା ହିତାଧିକାରୀ ପାଇଥାଆନ୍ତି। ଇତିମଧ୍ୟରେ ଅନେକ ଦଶନ୍ଧି ବିତିଗଲାଣି ଓ ମୁଦ୍ରାସ୍ଫୀତି ପ୍ରବଳ ଭାବେ ପ୍ରଭାବିତ ହୋଇଛି, ଯେଉଁଥିପାଇଁ ପିସି ପହଞ୍ଚତ୍ଲାଣି ୪୦ ପ୍ରତିଶତରେ। ଦୁର୍ଭାଗ୍ୟର କଥା ଯେ, ଜଣେ ଠିକାଦାରଙ୍କ ଆତ୍ମହତ୍ୟା ଦେଶବ୍ୟାପୀ ସମସ୍ୟା ସୃଷ୍ଟି କରିପାରେ। ଉଦାହରଣ ସ୍ବରୂପ, ଓଡ଼ିଶାରେ ୧୫ରୁ ୧୮ ପ୍ରତିଶତ ପିସି ସାଧାରଣରେ ନିଆଯାଇଥାଏ। ତେଲ ଦର ବୃଦ୍ଧି ଭଳି ଏବେ କର୍ନାଟକରେ ପିସି ବିଷୟରେ ଜଣାପଡ଼ିବା ପରେ ଅନ୍ୟସବୁ ରାଜ୍ୟରେ ମଧ୍ୟ ଏହାର ପ୍ରତିଶତ ବୃଦ୍ଧି ପାଇବାର ସବୁ ସମ୍ଭାବନା ରହିଛି। ଲୋଭୀ ଅଧିକାରୀମାନେ ଅଧିକ ପ୍ରତିଶତ ମାଗିବା ଯଥାର୍ଥ ବୋଲି ଭାବିବେ। ଏବେ ୪୦ ପ୍ରତିଶତ କମିଶନ ଯଦି ଉପର ସ୍ତରକୁ ଯିବା ଲାଗି ଅଲିଖିତ ବିଧି କରାଯାଇଥିବ, ତେବେ ଗଢ଼ାଯାଉଥିବା ଭିତ୍ତିଭୂମି କେତେ ସୁଦୃଢ଼ ହେବ ତାହା ଆକଳନ କରିହେବ। ଏମିତି ଦେଖିଲେ ଓଡ଼ିଶାରେ ପିସିର ପରିମାଣ କର୍ନାଟକ ତୁଳନାରେ ଯଥେଷ୍ଟ କମ୍‌ ଥିବା ସତ୍ତ୍ୱେ ଏଠାରେ ମଧ୍ୟ ବ୍ରିଜ୍‌ ଗଳିପଡ଼ିବା ଏକ ଜଣାଶୁଣା କଥା ହୋଇପଡ଼ିଲାଣି। ଈଶ୍ୱରପ୍ପାଙ୍କ କାର୍ଯ୍ୟକଳାପ ଭାଜପା ପ୍ରଶାସନର କାର୍ଯ୍ୟକଳାପକୁ ପଦାରେ ପକାଇ ଦେଉଛି। ଏହା ମଧ୍ୟ ଲୋକଲୋଚନକୁ ଆସିପାରି ନ ଥାଆନ୍ତା ଯଦି ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା କରି ନ ଥାଆନ୍ତେ।
‘ସ୍ବଚ୍ଛ ଭାରତ’ ଓ ‘ନୂତନ ଭାରତ’ ବିଷୟରେ ଭାଜପା ବାରମ୍ବାର କହିଆସୁଛି। କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁଯାୟୀ ଈଶ୍ୱରପ୍ପା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଈଶ୍ୱରପ୍ପା ସିନା ଧରାପଡ଼ିଗଲେ, କିନ୍ତୁ ଦୁର୍ନୀତିର ଚେର ବହୁ ଗଭୀରକୁ ଯାଇଥିବ। ଏଠାରେ ମନେରଖିବାକୁ ହେବ ଯେ, ଜଣେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦୁର୍ନୀତି କରିବା ସମ୍ଭବପର ନୁହେଁ। ପ୍ରଶାସନିକ ବ୍ୟବସ୍ଥାକୁ ଉପରୁ ଦୁର୍ନୀତିଗ୍ରସ୍ତ କରାଇପାରିଲେ ତାହାର ପ୍ରତିଫଳନ ଈଶ୍ୱରପ୍ପାଙ୍କ ଭଳି ଲୋକଙ୍କ ପାଖରେ ଦେଖିବାକୁ ମିଳିଛି। ଏଥିସହିତ ଏହା ମଧ୍ୟ ବୁଝିବାକୁ ହେବ ଯେ, ପ୍ରଶାସନିକ ବ୍ୟବସ୍ଥାକୁ ଅମଲାତନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ସମ୍ପୂର୍ଣ୍ଣ ଭାବେ ବୁଝିପାରିବେ ନାହିଁ। ବିଶେଷକରି କ୍ଷଣସ୍ଥାୟୀ ରାଜନେତାଙ୍କ ସେଭଳି ଗଭୀରତା ସୃଷ୍ଟି ହେବା ସମ୍ଭବପର ନୁହେଁ। ଏହି ଦିଗରୁ ଦେଖିଲେ ଈଶ୍ୱରପ୍ପାଙ୍କ ଆଢୁଆଳରେ ତାଙ୍କ ବିଭାଗୀୟ ସଚିବ ଓ ଯନ୍ତ୍ରୀଙ୍କଠାରୁ ଆରମ୍ଭକରି କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ରୀତିମତ ସକ୍ରିୟ ସହଯୋଗ ଏବଂ ଭାଗ ନିଶ୍ଚିତ ଭାବେ ଥିବ। ନଚେତ୍‌ ଦୁର୍ନୀତି କରିବା ସମ୍ଭବପର ନୁହେଁ।