Categories: ମେଟ୍ରୋ

ଗୋଦାମରେ ଫିମ୍ପି ମାରିଲାଣି ଅତ୍ୟାବଶ୍ୟକ ସାମଗ୍ରୀ: ଚିନ୍ତାରେ ୟୁନିଟ୍‌-୪ ହାଟ ବ୍ୟବସାୟୀ

ଭୁବନେଶ୍ୱର,୨୭।୭(ବ୍ୟୁରୋ): ଅନିଶ୍ଚିତତାରେ ୟୁନିଟ୍‌-୪ ମାର୍କେଟ ବ୍ୟବସାୟୀଙ୍କ ଭବିଷ୍ୟତ। ୧୦ଦିନ ହେବ ହାଟ ସିଲ୍‌ ହୋଇ ରହିଥିବାରୁ ହଜାରେରୁ ଊର୍ଦ୍ଧ୍ୱ ବ୍ୟବସାୟୀ ଓ ଗୋଦାମ ମାଲିକ ନାନା ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି। ଗୋଟିଏ ପଟେ କରୋନା ଦାଉକୁ ଅନ୍ୟପଟେ ବିଏମ୍‌ସି ଅଧିକାରୀଙ୍କ ଅବହେଳା ଚିନ୍ତା ବଢ଼ାଇଛି। ସମସ୍ତ ବ୍ୟବସାୟୀଙ୍କ କୋଭିଡ୍‌ ଟେଷ୍ଟ୍‌ କରାଯାଉ ନି କି ବଜାର ଖୋଲିବାକୁ ଅନୁମତି ମିଳୁନି। ଫଳରେ ଗୋଦାମ ଓ ଦୋକାନରେ ଥିବା ବିଭିନ୍ନ ସାମଗ୍ରୀ ଫିମ୍ପି ମାରିଲାଣି।
ୟୁନିଟ୍‌-୪ ଭୌମନଗର ହାଟ ସଂଘର ସାଧାରଣ ସମ୍ପାଦକ ବଦ୍ରିନାରାୟଣ ମିଶ୍ର ବ୍ୟବସାୟୀଙ୍କ ବ୍ୟବସାୟିକ ଓ ପାରିବାରିକ ସ୍ଥିତିକୁ ନେଇ ବେଶ୍‌ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ହାଟ ଖୋଲିବା ନେଇ ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ପଚାରିବାରୁ ଦାୟିତ୍ୱ ତାଙ୍କର ନୁହେଁ, ମାର୍କେଟ ବିଭାଗ ଦାୟିତ୍ୱ ତୁଲାଉଥିବା କହୁଛନ୍ତି। ଏପଟେ ମାର୍କେଟ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରୁନି। ୟୁନିଟ୍‌-୧ ହାଟ ଓ ମାର୍କେଟ ବିଲ୍ଡିଂ ପରି ଆମ ହାଟ ପାଇଁ ଏସ୍‌ଓପି ଜାରି କରାଯାଉ। ତାହାକୁ ମାନି ବ୍ୟବସାୟୀମାନେ ଦୋକାନ ଖୋଲିବେ ବୋଲି ମିଶ୍ର ନିବେଦନ କରିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ହାଟର କେବଳ ମାଛ ଗଦିରୁ ପଜିଟିଭ୍‌ ବାହାରିଛନ୍ତି। ମାଛ ମାର୍କେଟ ପାଇଁ ପୂରା ହାଟ ଓ ଆଖପାଖ ଅଞ୍ଚଳରେ ଛୋଟମୋଟ ଦୋକାନ କରି ପେଟପୋଷୁଥିବା ବ୍ୟବସାୟୀଙ୍କ ଦାନାପାଣି ବନ୍ଦ କରିବା ଠିକ୍‌ ନୁହେଁ। ଗୋଦାମରେ ଥିବା ଚାଉଳ, ଡାଲି, ଚୁଡ଼ା, ମୁଢ଼ି ସହ ଅତ୍ୟାବଶ୍ୟକ ଜିନିଷ ନଷ୍ଟ ହେବାକୁ ବସିଲାଣି। ଯଦି ତୁରନ୍ତ ସମସ୍ୟାର ସମାଧାନ କରା ନ ଯାଏ ତେବେ ବିଏମ୍‌ସିକୁ ହଜାର ହଜାର ବ୍ୟବସାୟୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଅନ୍ୟପକ୍ଷରେ ବଜାର କେବେ ଖୋଲିବ ସେନେଇ ବିଏମ୍‌ସି କମିଶନର ଓ ମାର୍କେଟ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି। ସେହିଭଳି ଖୁବ୍‌ଶୀଘ୍ର ଏନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ସୂଚନାଯୋଗ୍ୟ, ୟୁନିଟ୍‌-୪ ହାଟରୁ ଦୁଇ ଦିନରେ ୭ ପଜିଟିଭ୍‌ ଚିହ୍ନଟ ହେବାପରେ ଗତ ୧୭ ତାରିଖରେ ବିଏମ୍‌ସି ତାହାକୁ ସିଲ୍‌ କରିଥିଲା। ଏହାର ୮ ଦିନ ପରେ ହାଟର ମାଛ ଗଦିର ୧୦୦ଜଣ ବ୍ୟବସାୟୀଙ୍କର କୋଭିଡ୍‌ ଟେଷ୍ଟ ହୋଇଥିଲା। ହେଲେ ଅନ୍ୟ ବ୍ୟବସାୟୀଙ୍କର କେବେ ଟେଷ୍ଟ୍‌ ହେବ ଓ ହାଟ ଖୋଲିବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।

Share