ଲକ୍‌ଡାଉନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ

ଭୁବନେଶ୍ୱର,୪।୫(ବ୍ୟୁରୋ): ଆସନ୍ତା ବୁଧବାରଠାରୁ ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ ହେବ। ଏହା ପୂର୍ବରୁ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହାଟ ବଜାରରେ ଗହଳି ଲଗାଇଛନ୍ତି। ଲକ୍‌ଡାଉନ୍‌କୁ ନେଇ କୌଣସି ମତେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ସୁବିଧା କରାଯାଇଛି। ଜନସାଧାରଣ ଯେପରି କୌଣସି ଅସୁବିଧାରେ ନ ପଡ଼ନ୍ତି ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି। ସୋମବାର ଏକ ଭିଡିଓ ବାର୍ତ୍ତା ଜାରି କରି ଏସ୍‌ଆର୍‌ସି କହିଛନ୍ତି ଯେ, ଲକ୍‌ଡାଉନ୍‌ ଲାଗୁ ହେଲେ ମଧ୍ୟ ସକାଳ ୬ଟାରୁ ୧୨ଟା ଯାଏ ତେଜରାତି, ପନିପରିବା, ଦୁଗ୍ଧ, ଖାଦ୍ୟ ସାମଗ୍ରୀ ଆଦି ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। କେବଳ ଶନିବାର ଓ ରବିବାର ବନ୍ଦ ରହିବ। ତେଣୁ ଅଯଥା ଭୟଭୀତ ନ ହୋଇ ହାଟ ବଜାରରେ ଗହଳି ନ କରିବା ଲାଗି ଏସ୍‌ଆର୍‌ସି ପରାମର୍ଶ ଦେଇଛନ୍ତି। ଗହଳି ବଢ଼ିଲେ, କରୋନା ବଢ଼ିବା ଆଶଙ୍କା ରହିଛି। ଗହଳିକୁ ଗଲେ ନିଜେ ବିପଦରେ ପଡ଼ିବା ସହ ପରିବାର ସଦସ୍ୟଙ୍କୁ ମଧ୍ୟ ବିପଦରେ ପକାଇବେ। ସଚେତନ ରହିବା ପାଇଁ ଲୋକମାନଙ୍କୁ ଏସ୍‌ଆର୍‌ସି ନିବେଦନ କରିଛନ୍ତି। ସରକାର ଆବଶ୍ୟକ ମୁତାବକ ସମସ୍ତ ସାମଗ୍ରୀ ମହଜୁଦ ରଖିଛନ୍ତି। ଏଣୁ ଅଯଥାରେ ବ୍ୟସ୍ତ ହୋଇ ଅଧିକ କିଣିବାର କୌଣସି ଆବଶ୍ୟକତା ନାହିଁ। ସରକାରଙ୍କ ନିୟମ ମାନିବା ଉଚିତ। ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରହିଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

Share