ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଦେଶର ବୃହତ୍ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ମିଳିତଭାବେ ଓଡ଼ିଶାରେ ଏକ ବିଶ୍ବସ୍ତରୀୟ ଗବେଷଣା କେନ୍ଦ୍ର ସ୍ଥାପନ କରନ୍ତୁ ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରସ୍ତାବ ରଖିଛନ୍ତି। ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆନୁକୂଲ୍ୟରେ ଆୟୋଜିତ ଭର୍ଚୁଆଲ ବୈଠକରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ୨୦ ବର୍ଷ ଧରି ଏକ ସ୍ଥିର ଏବଂ ମଜଭୁତ ସରକାର ଦେଇଥିବାରୁ ଉପଯୁକ୍ତ ରାଜନୈତିକ ପରିବେଶ ସୃଷ୍ଟି ହେଇଛି। ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ ଓ ଶିଳ୍ପାୟନର ଅଗ୍ରଗତି ପାଇଁ ସ୍ଥିର ନୀତି ନିର୍ଦ୍ଧାରଣ ପାଇଁ ମଜଭୂତ ଢାଞ୍ଚା ନିର୍ମାଣ ହୋଇପାରିଛି। ରାଜ୍ୟରେ ବିପୁଳ ଖଣିଜ ସମ୍ପଦ ଏବଂ ପ୍ରାକୃତିକ ସମ୍ବଳ ସହ ଦେଶର ୧୧% ଜଳ ଗଚ୍ଛିତ ରହିଛି। ଓଡ଼ିଶାରେ ଗବେଷଣା କେନ୍ଦ୍ର ସ୍ଥାପନ ହେଲେ ତାହା ଆଗକୁ ଇସ୍ପାତ୍ ଶିଳ୍ପର ଉନ୍ନତ ଉତ୍ପାଦକତାରେ ସହାୟକ ହେବ।