ଅନ୍ଧାରୁଆରେ ହେବ ଟିକା ପ୍ରସ୍ତୁତ ୟୁନିଟ୍‌

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆଠାରେ ଟିକା ତିଆରି ୟୁନିଟ୍‌ ସ୍ଥାପନ ହେବ। ଏଥିରେ ୩୦୦ କୋଟି ଟଙ୍କାର ପୁଞ୍ଜିନେବଶ କରାଯିବ। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ। ନିର୍ଦ୍ଧାରିତ ସମୟରେ ଉତ୍ପାଦନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଟିକା ୟୁନିଟ୍‌ ପାଇଁ ସୂଚନା ପ୍ରଯୁକ୍ତି ବିଦ୍ୟା, ଅନ୍ୟାନ୍ୟ ସୁବିଧା ସହ ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟରେ ସହଯୋଗ ଯୋଗାଇବାକୁ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାଶନାଲ ଲିମିଟେଡ (ବିବିଆଇଏଲ୍‌)କୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଏଥିଲାଗି ବିବିଆଇଏଲ ସ୍ଥାନୀୟ ଷ୍ଟାଟ୍‌ଅପକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରିଥିଲା। ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂ କହିଛନ୍ତି, ଅନ୍ଧାରୁଆରେ ବାୟୋଟେକ୍‌ ପାର୍କରେ ଜମି ସୁବିଧା ରହିଛି। କୋଠା ନିର୍ମାଣ ଡିଜାଇନ୍‌ ପ୍ଲାନ ଅନୁମୋଦନ ହୋଇସାରିଛି। ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡିକ ଭଲ କାମ କରୁଛନ୍ତି। ପ୍ରାୟ ୭୭୪ ଷ୍ଟାର୍ଟଅପ୍‌ ବିଭିନ୍ନ ଇନକ୍ୟୁବେଶନ ସେଣ୍ଟରରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ୬୫ ଷ୍ଟାର୍ଟଅପ୍‌ ପେଟେଣ୍ଟ, ଟ୍ରେଡ୍‌ ମାର୍କ ଏବଂ କପି ରାଇଟ୍‌ ନେଇସାରିଛନ୍ତି। ସେଥିରୁ ୭୫ ଷ୍ଟାର୍ଟଅପ୍‌ ବାୟୋଟେକ୍‌ ଏବଂ ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିବିଆଇଏଲ୍‌ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଣା ଏଲ୍ଲା କହିଛନ୍ତି, ବିବିଆଇଏଲ୍‌ ହଇଜା, ମ୍ୟାଲେରିଆ ଓ ଜାପାନୀ ଜ୍ୱର ସମେତ ଅନ୍ୟ ମହାମାରୀ ରୋଗର ଟିକା ଉତ୍ପାଦନ କରିଥାଏ। ଅନ୍ଧାରୁଆରେ ହେବାକୁ ଥିବା ୟୁନିଟ୍‌ରେ କୋଭିଡ୍‌, ମ୍ୟାଲେରିଆ ସହ ୧୦ରୁ ଊର୍ଦ୍ଧ୍ୱ ପ୍ରକାରର ଟିକା ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ କମ୍ପାନୀକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲାଇଫ୍‌ ସାଇନ୍ସର ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Share