Categories: ଜାତୀୟ

ଇସ୍ରାଏଲରୁ ତେଲ ନେବ ଇୟୁ

କାଇରୋ, ୧୬ା୬: ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆ ବଦଳରେ ଏଣିକି ଇସ୍ରାଏଲରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ କ୍ରୟ ପାଇଁ ଇୟୁ ଯୋଜନା କରିଛି। ଇଜିପ୍ଟ ଦେଇ ୟୁରୋପୀୟ ଦେଶଗୁଡ଼ିକୁ ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ପରିବହନ ହେବ। ଏଥିନିମନ୍ତେ ଇଜିପ୍ଟ, ଇସ୍ରାଏଲ ଏବଂ ଇୟୁ ମଧ୍ୟରେ ବୁଧବାର ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଏ ନେଇ ୟୁରୋପିଆନ୍‌ କମିଶନ ମୁଖ୍ୟ ଉର୍ସୁଲା ଭୋନ୍‌ ଡେର ଲେୟେନ୍‌ ସୂଚନା ଦେଇଛନ୍ତି। ଇଜିପ୍ଟ ଓ ଇସ୍ରାଏଲ ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ଏହି ଐତିହାସିକ ଚୁକ୍ତିନାମାକୁ ଉର୍ସୁଲା ସ୍ବାଗତ କରିଛନ୍ତି। ୨୦୨୧ରେ ଇୟୁ ଏହାର ଆବଶ୍ୟକତାର ୪୦% ଗ୍ୟାସ୍‌ ରୁଷିଆରୁ ଆଣିଥିଲା। ରୁଷିଆର ଅର୍ଥନୀତିକୁ ପ୍ରଭାବିତ କରିବା ସହ ୟୁକ୍ରେନ୍‌ ଯୁଦ୍ଧ ବନ୍ଦ କରାଇବା ପାଇଁ ଇୟୁ ମସ୍କୋରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ କମ୍‌ କରିବା ନିମନ୍ତେ ଉଦ୍ୟମ ଜାରି ରଖିଛି। ଭୂମଧ୍ୟସାଗରରେ ଇସ୍ରାଏଲର ଦୁଇଟି ଗ୍ୟାସ୍‌ ଫିଲ୍ଡ କାର୍ଯ୍ୟକ୍ଷମ ରହିଛି। ଭୂମଧ୍ୟସାଗର ଦେଇ ଇଜିପ୍ଟର ଏଲ୍‌ଏନ୍‌ଜି ଟର୍ମିନାଲ ଦ୍ୱାରା ଇସ୍ରାଏଲରୁ ତୈଳ ପରିବହନ ହୋଇ ୟୁରୋପ ଉପୂକଳକୁ ଆସିବ।

Share