ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ

ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍‌ ବନ୍ଦ କରିଦେଇଛନ୍ତି। ୟୁରୋପୀୟ ୟୁନିଅନ ରୁଷିଆର ବିମାନ ପାଇଁ ଏୟାରସ୍ପେସ୍‌ ବନ୍ଦ କରିବାକୁ ରବିବାର ଘୋଷଣା କରିଛି। ୟୁରୋପୀୟ ୟୁନିଅନ ବ୍ୟତୀତ କାନାଡା ମଧ୍ୟ ନିଜର ଏୟାରସ୍ପେସ୍‌କୁ ରୁଷିଆ ପାଇଁ ବନ୍ଦ କରିଦେଇଛି। ଅନ୍ୟପଟେ ୟୁରୋପୀୟ ୟୁନିଅନର ଅଧ୍ୟକ୍ଷ ଉର୍ସୁଲା ଭନ୍‌ ଡେର୍‌ ଲେଏନ କହିଛନ୍ତି, ରୁଷିଆର ବିମାନ ପାଇଁ ଇୟୁର ଏୟାରସ୍ପେସ୍‌ ବନ୍ଦ କରିଦିଆଯାଇଛି। ଏଥିରେ ରୁଷିଆ ବିମାନ, ରୁଷିଆର ପଞ୍ଜୀକୃତ ବିମାନ ଓ ରୁଷିଆର ନିୟନ୍ତ୍ରିତ ବିମାନ ସାମିଲ ରହିଛି। ଏହି ପ୍ରତିବନ୍ଧକ ପ୍ରାଇଭେଟ ଜେଟ୍‌ରେ ମଧ୍ୟ ଲାଗୁ ହେବ ବୋଲି ସେ କହିଛନ୍ତି। ସୂଚନା ମୁତାବକ ୟୁରୋପୀୟ ୟୁନିଅନରେ ୨୭ଟି ଦେଶ ରହିଛି। ୟୁରୋପୀୟ ୟୁନିଅନରେ ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲଗେରିଆ, କ୍ରୋଏସିଆ, ସାଇପ୍ରସ, ଚେକ୍‌ ରିପବ୍ଲିକ, ଡେନମାର୍କ, ଇଷ୍ଟୋନିଆ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଗ୍ରୀସ, ହଙ୍ଗେରୀ, ଆର୍ୟଲ୍ୟାଣ୍ଡ, ଇଟାଲୀ, ଲାଟଭିଆ, ଲିଥୁଆନିଆ, ଲକ୍ସେମବର୍ଗ, ମାଲ୍ଟା, ନେଦରଲ୍ୟାଣ୍ଡ, ପୋଲାଣ୍ଡ, ପର୍ତ୍ତୁଗାଲ, ରୋମାନିଆ ସ୍ଲୋଭାକିଆ, ସ୍ଲୋଭେନିଆ, ସ୍ପେନ ଏବଂ ସ୍ବିଡେନ ଅନ୍ତର୍ଭୁକ୍ତ। ୟୁରୋପୀୟ ୟୁନିଅନ ଓ କାନାଡା ବ୍ୟତୀତ ବ୍ରିଟେନ ମଧ୍ୟ ରୁଷିଆର ବିମାନ କମ୍ପାନୀ ଏରୋଫ୍ଲଟ୍‌କୁ ନିଜର ଏୟାରସ୍ପେସ ବ୍ୟବହାର କରିବାକୁ ମନା କରିଦେଇଛି। ଏହାର ଜବାବରେ ରୁଷିଆ ମଧ୍ୟ ବ୍ରିଟିଶ ଏୟାରଲାଇନ୍ସ ଉପରେ ପ୍ରତିବନ୍ଧକ ଲଗାଇଛି। ସୂଚନାଯୋଗ୍ୟ, ୟୁରୋପୀୟ ୟୁନିଅନର ଘୋଷଣା ପୂର୍ବରୁ ଏହାର ଅନେକ ସଦସ୍ୟ ଦେଶ ରୁଷିଆ ପାଇଁ ନିଜର ଏୟାରସ୍ପେସ୍‌ ବନ୍ଦ କରିଦେଇଥିଲେ। ଅନ୍ୟପଟେ ବେଲଜିୟମର ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୋ ଟୁଇଟ କରି କହିଛନ୍ତି, ଯେଉଁମାନେ ଲୋକଙ୍କୁ ଯୋଡିକି ରଖନ୍ତି ସେମାନଙ୍କ ପାଇଁ ଆମର ଏୟାରସ୍ପେସ୍‌ ଖୋଲା ଅଛି କିନ୍ତୁ ଯେଉଁମାନେ ନିର୍ଦ୍ଦୟ ଭାବେ ଆକ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ନୁହେଁ।

Share