ୟୁରୋପର ବୃହତ୍ତମ ଇସ୍ପାତ୍‌ କାରଖାନା ଧ୍ୱଂସ କଲା ରୁଷିଆ

କ୍ୱିଭ୍‌,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷିଆ। ଯୁଦ୍ଧ ଲାଗି ଏହି ସ୍କୁଲରେ ୪୦୦ ଲୋକେ ଶରଣ ନେଇଥିଲେ। ଏହି ସ୍କୁଲ ଉପରେ ରୁଷିଆ ସୈନ୍ୟମାନେ ରକେଟ ମାଡ କରିଥିବା ଯୋଗୁ ସ୍କୁଲଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଯାଇଛି। ଭଗ୍ନାବଶେଷ ତଳେ ୪୦୦ ୟୁକ୍ରେନବାସୀ ଦବି ରହିଥିବା ଆଶଙ୍କା କରାଯାଉଛି। ଏହାସହ ୟୁରୋପର ବୃହତ୍ତମ ଲୁହା ଏବଂ ଇସ୍ପାତ୍‌ କାରଖାନା ‘ଅଜୋଭସ୍ତାଲ’କୁ ବୋମା ମାଡରେ ଧ୍ୱଂସ କରିଛି ରୁଷିଆ। ୟୁକ୍ରେନର ଏମ୍‌ପି ଲେସିଆ ଭାସିଲେଙ୍କୋ ଟୁଇଟ କରିଛନ୍ତି, ୟୁରୋନର ଅନ୍ୟତମ ବୃହତ୍ତମ ଇସ୍ପାତ କାରଖାନା ଧ୍ୱଂସ ହୋଇଯାଇଛି। ଏହା ୟୁକ୍ରେନ ଅର୍ଥନୀତି ପାଇଁ ବଡ଼ କ୍ଷତି। ଏହାଦ୍ୱାରା ପରିବେଶକୁ ମଧ୍ୟ ବଡ ଧରଣର କ୍ଷତି ପହଞ୍ଚିଛି। ବିସ୍ଫୋରଣରେ ଅଟ୍ଟାଳିକାରୁ ଧୂସର ଓ ଭୟଙ୍କର କଳା ଧୂଆଁ ଉଠୁଥିବା ଭିଡିଓ ମଧ୍ୟ ଭାସିଲେଙ୍କୋ ପୋଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଆଜିକୁ ୨୫ଦିନ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ରାଜଧାନୀ କ୍ୱିଭ୍‌ ଦଖଲ କରିବାକୁ ଚେଷ୍ଟା ଚଳାଇଛି ରୁଷିଆ।

Share