Advertisement

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି ଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏଥର ମଧ୍ୟ ଭାରତ ପଡ଼ୋଶୀ ଦେଶକୁ କଡ଼ା ଭର୍ତ୍ସନା କରିଛି ଭାରତ।

ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ହରିଶ ପି. ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି, ପାକିସ୍ତାନ ଆମର ଜମ୍ମୁ ଏବଂ କଶ୍ମୀର ଉପରେ ବାରମ୍ବାର ଭିତ୍ତିହୀନ ଏବଂ ଅନାବଶ୍ୟକ ବୟାନ ଦେଉଛି। ଏପରି ବୟାନ ପାକିସ୍ତାନର ମିଥ୍ୟା ଦାବି କିମ୍ବା ଆତଙ୍କବାଦ ପ୍ରସାର ନୀତିକୁ ଯଥାର୍ଥ କରିପାରିବ ନାହିଁ।

ଭାରତ ସ୍ପଷ୍ଟ ଶବ୍ଦରେ ଏହା ମଧ୍ୟ କହିଛି, ପାକିସ୍ତାନ ଜମ୍ମୁ-କଶ୍ମୀରର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଛି ଏବଂ ତାକୁ ସେହି ଅଞ୍ଚଳ ଖାଲି କରିବାକୁ ପଡିବ। ହରିଶ ପାକିସ୍ତାନକୁ ତା’ର ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ବିଭାଜନକାରୀ ନୀତି ପରିତ୍ୟାଗ କରି ଶାନ୍ତି ଆଡକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

ଜାତିସଂଘରେ ଅନୁଷ୍ଠିତ ସେହି ବୈଠକରେ ଭାରତ ଏକ କଡ଼ା ବାର୍ତ୍ତା ଦେଇ କହିଛ, ପାକିସ୍ତାନ ବୁଝିବା ଉଚିତ ଯେ ତାକୁ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଛାଡିବାକୁ ପଡିବ। ଯଦି ପାକିସ୍ତାନ ଶାନ୍ତି ଚାହୁଁଛି, ତେବେ ତାକୁ ପ୍ରଥମେ ଆତଙ୍କବାଦ ଏବଂ ଘୃଣା ପ୍ରସାର କରିବା ବନ୍ଦ କରିବାକୁ ପଡିବ। ନଚେତ୍‌ ପରିଣାମ ଭୋଗିବ।

ଭାରତ ଏହା ମଧ୍ୟ କହିଛି, ଆମେ ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛି, କିନ୍ତୁ ପାକିସ୍ତାନର ଦାୟିତ୍ୱ ହେଉଛି ଯେ ସେ ପ୍ରଥମେ ଆତଙ୍କବାଦକୁ ଶେଷ କରି ଶାନ୍ତିର ବାତାବରଣ ସୃଷ୍ଟି କରିବ। ଯାହା ଦାରା ଦୁଇ ଦେଶ ମଧ୍ୟରେ ଯେକୌଣସି ପ୍ରକାରର ଆଲୋଚନା ସମ୍ଭବ ହୋଇପାରିବ। ଶେଷରେ, ଭାରତ ପାକିସ୍ତାନକୁ ଜାତିସଂଘ ଭଳି ମଞ୍ଚରେ ନିଜର ଘୃଣ୍ୟ ରାଜନୀତି ନ ଖେଳିବାକୁ ପରାମର୍ଶ ମଧ୍ୟ ଦେଇଥିଲା। ଏଠାରେ ଆମକୁ ଶାନ୍ତି ବିଷୟରେ କଥା ହେବାକୁ ପଡିବ ଏବଂ ପୁରୁଣା ବିବାଦକୁ ଉଠାଇବା ଉଚିତ୍‌ ନୁହେଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share