ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

ଭୁବନେଶ୍ୱର, ୭।୨ (ବ୍ୟୁରୋ):ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତୀକରଣ ପାଇଁ ବିଡିଏ ପକ୍ଷରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ସହାୟତାରେ ଦୁଇଟି ସରକାରୀ ଜାଗାରୁ ପୃଥକ ଉଚ୍ଛେଦ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜାଗମରା ମୌଜାସ୍ଥିତ ପ୍ଲଟ୍‌ ନଂ.୧୩୫୫, ୧୩୫୬ (ପିଟି), ୧୩୫୭ (ପିଟି) ଓ ୧୩୫୮ (ପିଟି)ରେ ଥିବା ୨.୦୭୬ ଏକର ଏବଂ ୦.୫୯୨ଏକର ସରକାରୀ ଜମିରୁ ଉଚ୍ଛେଦ ହୋଇଥିଲା। ଏହି ଜମିରେ ବେଆଇନ ଭାବେ ତିଆରି ହୋଇଥିବା ଦୋକାନ, ହୋଟେଲ ଓ ଘରଗୁଡିକୁ ବିଡିଏ ମାଟିରେ ମିଶାଇ ଦେଇଛି। ୨୬ଟି ଆଜବେଷ୍ଟସ୍‌ ଘର, ଗୋଟିଏ ଛାତଘର, ୬ଟି ଟିଣ ଘର ଏବଂ ୨ଟି ଲୁହାଗେଟ୍‌ ଭଙ୍ଗାଯାଇଥିଲେ ମଧ୍ୟ ସମୟ ଅଭାବରୁ ଉଚ୍ଛେଦ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ଏକ ପ୍ଲାଟୁନ୍‌ ରିଜର୍ଭ ପୋଲିସ ଫୋର୍ସ ସମେତ ଗୋଟିଏ ସେକ୍ସନ୍‌ ମହିଳା ପୋଲିସ ମୁତୟନ କରାଯାଇଥିଲା। ବିଡିଏ ଏନ୍‌ଫୋର୍ସମେଣ୍ଟ ଅଫିସର ଦେବୀ ପ୍ରସାଦ ମହାନ୍ତି, ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏର ଜମି ଅଧିଗ୍ରହଣ ଅଧିକାରୀ ସୁଜାତା ପାତ୍ର ଏବଂ ଜିଏର ଆସିଷ୍ଟାଣ୍ଟ ଡାଇରେକ୍ଟର ଅମିୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share