ରେଳ ଡିଭିଜନ ପାଇଁ କୋଇଲାପଡ଼ା ବସ୍ତି ଉଚ୍ଛେଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର),୨୬।୩: ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ଓ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶନିବାର ରୟତ କଲୋନୀ ନିକଟସ୍ଥ କୋଇଲାପଡ଼ା ବସ୍ତି ଉଚ୍ଛେଦ କରାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରେଲଓ୍ବେ ବିଭାଗ କୋଇଲାପଡ଼ାରେ ଥିବା ୧୨୬ ଘରକୁ ଉଚ୍ଛେଦ କରିବା ସହିତ ଗୋଷ୍ଠୀଗୃହ, ପୂଜାସ୍ଥଳୀ ଆଦି ଜେସିବ ଦ୍ୱାରା ଭଙ୍ଗା ଯାଇଛି। ଜରଦଖଲରୁ ହଟିଯିବା ପାଇଁ ପୂର୍ବରୁ ବାରମ୍ବାର ରେଲୱେ ପକ୍ଷରୁ ବସ୍ତବାସିନ୍ଦାଙ୍କୁ ନୋଟିସ ଦିଆଯାଇଥିଲା ା ହେଲେ ରାଜ୍ୟ ସରକାର ପୌରାଞ୍ଚଳ ମଧ୍ୟରେ ସ୍ଥାନ ନିରୂପଣ କରି ନ ଦେବାରୁ ବସ୍ତିବାସିନ୍ଦା ସେଠାରୁ ଯାଇ ନ ଥିଲେ। ଜବରଦଖଲକାରୀ ସ୍ଥାନ ଖାଲି କରୁ ନ ଥିବାରୁ ରେଲୱେ ଡିଭିଜନ ନିର୍ମାଣ କାର୍ଯ୍ୟ ଏକ ପ୍ରକାର ବନ୍ଦ ରହିଥିଲା ା ତେଣୁ ବାଧ୍ୟ ହୋଇ ବସ୍ତି ଉଚ୍ଛେଦ କରାଗଲା ବୋଲି ରେଲୱେ ୱାଲଟିୟର ଡିଭିଜନ ସହକାରୀ ଯନ୍ତ୍ରୀ ସଞ୍ଜୀବ ଦୀକ୍ଷିତ କହିଛନ୍ତି ା ଏହାପରେ ପର୍ଯ୍ୟାୟକ୍ରମେ ଜବରଦଖଲରେ ରହିଥିବା ରେଲୱେ ଜମିକୁ ଉଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା
ରେଲୱେର ମୋଟ ୧୦୯୩ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସହକାରୀ ଯନ୍ତ୍ରୀ ଦୀକ୍ଷିତ ସୂଚନା ଦେଇଛନ୍ତି ା ରେଳ ଡିଭିଜନ ଓ କାର୍ଯ୍ୟାଳୟ ସହ ରାୟଗଡ଼ାରେ ତୃତୀୟ ରେଳଧାରଣା ଏବଂ ୪ଟି ନୂତନ ପ୍ଲାଟଫର୍ମ ନିର୍ମାଣ ପାଇଁ ଜମିର ଆବଶ୍ୟକତା ରହିଛି। ତେଣୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ବସ୍ତିବାସିନ୍ଦା କହିଛନ୍ତି, ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ସେମାନେ ସେଠାରେ ରହି ଆସୁଥିଲେ। ସମସ୍ତେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର। ରାଜ୍ୟ ସରକାର ଥଇଥାନ ପାଇଁ କୌଣସି ସୁବିଧା ନ କରି ନ ଥିବାରୁ ଏବେ ହନ୍ତସନ୍ତ ହେବୁ ବୋଲି କହିଛନ୍ତି ା ବସ୍ତିବାସିନ୍ଦାଙ୍କର କିଛି ଅସୁବିଧା ହେଲେ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଉଚ୍ଛେଦ ବେଳେ ସେଠାରେ ଉପସ୍ଥିତ ଥିବା ଭାଜପା କାଉନସିଲର ମଞ୍ଜୁଳା ମିଣିଆକା କହିଛନ୍ତି। ଜିଲା ପ୍ରଶାସନ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ କୌଣସି ସୁବିଧା ନ କଲେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କୋଇଲାପଡ଼ା ବସ୍ତି ଉଚ୍ଛେଦ ସମୟରେ ସେ ପ୍ରଶାସନିକ ଅଧିକାରୀଙ୍କୁ ଫୋନ୍‌ କରି ଅସନ୍ତୋଷ ଜଣାଇଥିଲେ ା