ଗୋଚରଜମିରୁ ପ୍ରଧାନମନ୍ତ୍ରୀ ଆବାସ ଉଚ୍ଛେଦ

ପାଟଣା,୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷାଖୋରୀ ପଞ୍ଚାୟତ ମୂଷାନାଳୀ ଗ୍ରାମର ଏକ ଗୋଚର ପ୍ଲଟ୍‌ରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉକ୍ତ ସ୍ଥାନରେ ଥିବା ଝୁମ୍ପୁଡ଼ିକୁ ମଧ୍ୟ ଭାଙ୍ଗିବା ଦାବିରେ ଗ୍ରାମବାସୀ ତହସିଲ ଓ ପୋଲିସକୁ ଅଟକ ରଖିଥିଲେ। ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପ୍ରକାଶ ଯେ, ଉକ୍ତ ଜମିରେ ଗ୍ରାମର ମହାନ୍ତ ସମ୍ପ୍ରଦାୟର ଲୋକ କାଳୀ ପୂଜାର ଗୋଠାନ ପୂଜା କରି ଆସୁଛନ୍ତି। ସର୍ବସାଧାରଣ ବ୍ୟବହୃତ ହେଉଥିବା ଗୋଚରଜମିଙ୍କୁ ଦଖଲ କରି ଗ୍ରାମର ଜନୈକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିଲେ। ଏହାକୁ ଉଚ୍ଛେଦ ଦାବିରେ ଜୁଲାଇ ୧୬ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାଟଣା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏ ନେଇ ଶୁକ୍ରବାର ତହସିଲଦାର ଲୀଳାବତୀ ନାୟକ ଓ ପାଟଣା ପୋଲିସ ପହଞ୍ଚତ୍ ଜେସିବି ସାହାଯ୍ୟରେ ନିର୍ମାଣାଧୀନ ଅବାସ ଗୃହକୁ ଉଚ୍ଛେଦ କରିଥିଲେ। ପରେ ଉକ୍ତ ଗୋଚର ପ୍ଲଟ୍‌ରେ ହୋଇଥିବା ଖପର ଝୁମ୍ପୁଡି ଘରକୁ ମଧ୍ୟ ଉଚ୍ଛେଦ ଦାବିରେ ଲୋକେ ଜିଦ୍‌ ଧରିଥିଲେ। ଶତାଧିକ ମହିଳା, ପୁରୁଷ ଝୁମ୍ପୁଡ଼ି ଭାଙ୍ଗିବା ଜିଦ୍‌ରେ ଦିନ ୨ଟା ୩୦ରୁ ଅପରାହ୍ନ ୪ ଟା ୩୦ ପର୍ଯ୍ୟନ୍ତ ତହସିଲଦାରଙ୍କ ସହ ଗାଡ଼ିକୁ ଅଟକ ରଖିଥିଲେ। ଝୁମ୍ପୁଡି ଘର ଉଚ୍ଛେଦ ପାଇଁ ଆଉ ଏକ ଦରଖାସ୍ତ ଦେଲେ ଉଚ୍ଛେଦ ହେବ ବୋଲି ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଛାଡ଼ିଥିଲେ। ଉଚ୍ଛେଦ କାର୍ଯ୍ୟରେ ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ମୂଷାଖୋରୀ ରାଜସ୍ବ ନିରୀକ୍ଷକ ରଞ୍ଜିତା ଜେନା, ପାଟଣା ନିରୀକ୍ଷକ ଶ୍ରୀଧର ନାଏକ, ଟାଙ୍ଗରପଡ଼ାର ନିରୀକ୍ଷକ ସତ୍ୟବ୍ରତ ସାହୁ, ଡୁମୁରୁରିଆ ନିରୀକ୍ଷକ ମଳୟ ନାୟକ, ଅମିନ ସୁରେଶ ନାଏକଙ୍କ ସମେତ ପାଟଣା ପୋଲିସ ସାମିଲା ଥିଲା।