୧୨ ହଜାର ବର୍ଷ ପୂର୍ବେ ବି ମଣିଷ ବ୍ୟବହାର କରୁଥିଲା ତମାଖୁ…

ଓ୍ବାଶିଂଟନ,୧୨।୧୦: ମଣିଷ ସହିତ ତମାଖୁର ସମ୍ପର୍କ ଏବେକାର ନୁହେଁ। ୧୨ ହଜାର ୩୦୦ ବର୍ଷ ପୂର୍ବେ ମଧ୍ୟ ମଣିଷ ତମାଖୁ ବ୍ୟବହାର କରୁଥିଲା। ଏନେଇ ଉତ୍ତର ଆମେରିକାର ଉଟାହରୁ ପ୍ରମାଣ ମିଳିଛି। ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଗ୍ରେଟ୍‌ ସଲ୍ଟ ଲେକ୍‌ ମରୁଭୂମିରେ ୪ଟି ତମାଖୁ ମଞ୍ଜି ମିଳିଛି। ତେବେ ସେତେବେଳେ ତମାଖୁକୁ କିଭଳି ଭାବେ ବ୍ୟବହାର କରାଯାଉଥିଲା ସେ ନେଇ ଅଧିକ ଗବେଷଣା ଜାରି ରହିଛି।

ତମାଖୁର ବ୍ୟବହାର ପୁରାତନ ଚିକିତ୍ସା ବିଜ୍ଞାନରେ ଔଷଧ ଭାବେ ବ୍ୟବହାର କରାଯାଉଥିଲା। ସେହିପରି ପ୍ରାଚୀନ ଆମେରିକା ଔପନିବେଶ ଶାସକ ତମାଖୁ ଚାଷ ଅର୍ଥନୀତିର ବିକାଶ ଲାଗି କରୁଥିଲେ। ସେହିପରି ପ୍ରାଚୀନ ମାୟା ସଭ୍ୟତାରେ ଏହାର ଉପଯୋଗ ଏନେମା ପାଇଁ କରାଯାଉଥିଲା। ୧୮ ଶତାବ୍ଦୀରେ ବ୍ରିଟେନ୍‌ରେ ଡାକ୍ତରମାନେ ଏହାର ବ୍ୟବହାର ପାଣିରେ ବୁଡ଼ିଥିବା ଲୋକଙ୍କ ଜୀବନ ବଞ୍ଚାଇବା ଲାଗି କରୁଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧୂମପାନ କରାଯାଉଥିଲା।

ଏହା ପୂର୍ବରୁ ୩୩୦୦ ବର୍ଷ ତଳେ ମଣିଷ ତମାଖୁ ବ୍ୟବହାର କରୁଥିବାର ପ୍ରମାଣ ଆଲବାମାରୁ ମିଳିଥିବା ଏକ ସ୍ମୋକିଂ ପାଇପ୍‌ର କାର୍ବନ ଡାଟିଂରୁ ମିଳିଥିଲା। ୨୦୧୮ରେ ଏନେଇ ଜର୍ନାଲ ଅଫ୍‌ ଆର୍କିୟୋଲୋଜିକାଲ ସାଇନ୍ସ: ରିପୋର୍ଟରେ ପ୍ରକାଶିତ ହୋଇଥିଲା।

ତେବେ ଏବେ ମିଳିଥିବା ପ୍ରମାଣ ତମାଖୁ ସହିତ ମଣିଷ ସଭ୍ୟତାର ସମ୍ପର୍କ ଅତି ପୁରାତନ ବୋଲି ଜଣାପଡ଼ିଛି। ଡେରା ଡ୍ୟୁକ୍‌ଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ବିଭାଗ ଦଳଙ୍କୁ ଏହି ବଡ଼ ସଫଳତା ମିଳିଛି। କାର୍ବନ ଡାଟିଂରୁ ତମାଖୁ ମଞ୍ଜି ୧୨ ହଜାର ୩୦୦ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

Share