ନୂଆଗାଁ,୨୭।୧୧(ଡି.ଏନ.ଏ.): ୨ ସାଙ୍ଗଙ୍କ ସହ ବାଇକ୍ରେ ଘରକୁ ଫେରୁଥିବା ସମୟରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଲିଙ୍କୁନ୍ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଇତିମଧ୍ୟରେ ୧୮ ଦିନ ବିତି ଥିଲେ ମଧ୍ୟ ଏଯାବତ ତାଙ୍କ ଚେତା ଫେରୁନି। ଆର୍ଥତ୍କ ଅନାଟନରେ ପରିବାର ଚଳୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ ତାଙ୍କ ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀସ୍ତରରେ ସହାୟତା ଦେବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୭ ତାରିଖ ଦିନ ନୟାଗଡ଼ ଜିଲା ନୂଆଗାଁ ଥାନା ସଂପଡା ଗ୍ରାମର ଲିଙ୍କୁନ ସାହୁ ଦଶପଲ୍ଲା ପଟୁ ୨ ସାଙ୍ଗଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ । ମହିତମା ନିକଟରେ ଏକ ପିକଅପ୍ ଭ୍ୟାନ ସହ ତାଙ୍କ ବାଇକ୍ର ଧକ୍କା ହୋଇଥିଲା । ଏଥିରେ ୩ ବାଇକ୍ ଆରୋହୀ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଦିନଠାରୁ ଲିଙ୍କୁନ ଚେତାଶୂନ୍ୟ ଅବସ୍ଥାରେ ଆଇସିୟୁରେ ରହିଛନ୍ତି। ଚିକିତ୍ସା ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡର ଅନୁଦାନ ଶେଷ ହୋଇସାରିଛି ।
ଲିଙ୍କୁନଙ୍କ ବାପା ଜଣେ ଦିନ ମଜୁରିଆ । ସେ ଯାହା ରୋଜଗାର କରନ୍ତି ତାହା ପରିବାର ଚଳାଇବା ବି କଷ୍ଟକରି ହୋଇ ପଡୁଛି। ଏପରି ପରିସ୍ଥିତିରେ ପୁଅର ଚିକିତ୍ସା ପାଇଁ ଅର୍ଥର ଅଭାବ ଲାଗି ରହିଛି । ନିଜ ଘର ବିକ୍ରି ବାବଦରେ ମିଳିଥିବା ୪ ଲକ୍ଷ ଟଙ୍କା ସହ ଲୋକଙ୍କଠାରୁ ମିଳିଥିବା ୫୦ ହଜାର ଟଙ୍କାର ଖର୍ଚ୍ଚ ସରିଲାଣି। ତେଣୁ ଲିଙ୍କୁନର ଚିକିତ୍ସା ପାଇଁ ସହୃଦୟ ବ୍ୟକ୍ତି ଓ ରାଜ୍ୟ ସରକାର ସହଯୋଗ କରିବାକୁ ଗ୍ରାମବାସୀଙ୍କ ତରଫରୁ ନିବେଦନ କରାଯାଇଛି।