ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ କୋଭିଡ୍‌-୧୯ ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା କେଉଁଠୁ ବାହାରିଛି ସେନେଇ ପ୍ରାମାଣିକ ତଥ୍ୟ ନ ମିଳିବା ଭୂତାଣୁକୁ ଆହୁରି ପ୍ରହେଳିକାମୟ କରିଛି।
୨୦୨୦ ଜାନୁୟାରୀ ୧୧ରେ ଚାଇନାରେ କୋଭିଡ୍‌-୧୯ ଜନିତ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଉହାନ ବଜାରକୁ ନିୟମିତ ଭାବେ ଯାଉଥିବା ଜଣେ ୬୧ ବର୍ଷୀୟ ବୃଦ୍ଧ ଘାତକ କରୋନାର ପ୍ରଥମ ଶିକାର ହୋଇଥିଲେ। ଏହା ପରେ କରୋନା ବିଶ୍ୱର ଅଧିକାଂଶ ଦେଶରେ ଅଣାୟତ୍ତ ହୋଇ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସଂକ୍ରମିତଙ୍କ ସଂଖ୍ୟା ୯୦,୧୭୬,୫୬୯ରେ ପହଞ୍ଚତ୍ଲାଣି। କରୋନା ଭୂତାଣୁ ବିଶ୍ୱ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା ସହ ଦେଶ ଦେଶ ମଧ୍ୟରେ ଦୋଷାରୋପ ପାଇଁ କଳହର ମଞ୍ଜି ସାଜିଛି। ଏହି ଭୂତାଣୁ ପ୍ରକୃତରେ କେଉଁଠୁ ଆରମ୍ଭ ହୋଇଥିଲା ତାହା ଠାବ କରିବା ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଛି। ଏହା ପ୍ରାଣୀଙ୍କଠାରୁ ମଣିଷଙ୍କ ଶରୀରକୁ କିପରି ଡେଇଁଥିଲା ତାହା ଏବେ ମଧ୍ୟ ମୂଳ ପ୍ରଶ୍ନ ହୋଇ ରହିଛି। ୨୦୧୯ ଶେଷ ଆଡ଼କୁ କେନ୍ଦ୍ରୀୟ ଚାଇନାର ଉହାନ ସହରସ୍ଥିତ ମାଛ ଓ ମାଂସ ବଜାରରୁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ନେଇ ଅଧିକାଂଶ ବିଶେଷଜ୍ଞ ମତ ଦେଇଥାନ୍ତି। ଏହି ବଜାରରେ ଜୀବଜନ୍ତୁଙ୍କୁ ଖାଦ୍ୟ ଭାବେ ବିକ୍ରି କରାଯାଉଥିବାରୁ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରୁ ରୋଗ ବ୍ୟାପିଥିବା ଅନେକେ ବିଶ୍ୱାସ କରନ୍ତି। କିନ୍ତୁ ଏନେଇ କୌଣସି ପ୍ରମାଣ କାହା ପାଖରେ ନ ଥିବାରୁ ଉକ୍ତ ଅଭିଯୋଗ ଏକପ୍ରକାର ଅପ୍ରାସଙ୍ଗିକ ହୋଇଯାଇଛି। ଏହାକୁ ନେଇ ଏକାଧିକ କନ୍‌ସ୍ପିରେସି ଥିଓରି ବା ଷଡ଼ଯନ୍ତ୍ର ସିଦ୍ଧାନ୍ତ ମଧ୍ୟ ରହିଛି। ଯେମିତି କି ଆମେରିକାର ବିଦାୟୀ ରାଷ୍ଟ୍ରପତିଙ୍କ ମତରେ ଉହାନ ଲାବରେଟୋରିରୁ କରୋନା ଭାଇରସ୍‌ ଲିକ୍‌ ହୋଇ ବିଶ୍ୱର ଅନ୍ୟ ଭାଗକୁ ସଂକ୍ରମିତ ହୋଇଥିଲା। ବିଶ୍ୱର କେତେଜଣ ଆଗଧାଡ଼ିର ଭାଇରୋଲୋଜିଷ୍ଟ ମଧ୍ୟ ଅନୁରୂପ ମତ ଦିଅନ୍ତି। କିନ୍ତୁ ଚାଇନା ଏହି ବିଷୟକୁ ଖଣ୍ଡନ କରିଆସିଛି।
ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଗଠିତ ତଦନ୍ତକାରୀ ଟିମ୍‌କୁ ଉହାନ ଭିତରକୁ ଯାଞ୍ଚ ପାଇଁ ପ୍ରବେଶ କରାଇ ଦେଇନାହିଁ। ଏପରି କି କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନା ବୋଲି ବିଶ୍ୱକୁ ଅବଗତ କରାଇଥିବା ହ୍ବିଶିଲବ୍ଲୋୟର ଓ ରିପୋର୍ଟରମାନଙ୍କୁ ଜେଲରେ ପୂରାଇ ସେମାନଙ୍କ ମୁହଁ ବନ୍ଦ କରିଦିଆଯାଇଛି। ଏସବୁ ଘଟଣା ବେଜିଂର ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଇଛି।

Share