ସମୁଦ୍ରରେ ବୁଡ଼ିଯିବାର ୧୮ ଘଣ୍ଟା ପରେ ବି ମିଳୁନି ଛାତ୍ରଙ୍କ ପତ୍ତା, ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ

ଛତ୍ରପୁର,୨୦ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପତ୍ତା ମିଳିପାରିନାହିଁ। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସି ନିର୍ଦ୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି ଜାରିରହିଛି। ଘଟଣାସ୍ଥଳରେ ଗଞ୍ଜାମ ଜିଲାପାଳ ଦି୍ୟଜ୍ୟୋତି ପରଡ଼ା ପହଞ୍ଚି ସ୍ଥିତି ପରଖି ଥିଲେ। ତଟ ରକ୍ଷା ବୋଟ୍‌ ସମେତ ଓଡ୍ରାଫ, ଅଗ୍ନିଶମ ଟିମ୍‌ର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାସ୍ଥଳରେ ଜିଲା ପ୍ରଶାସନର ବହୁ ଅଧିକାରୀ ସମେତ ଗ୍ରାମବାସୀ ମଧ୍ୟ ଉପସ୍ଥିତ ରହିଛନ୍ତି।
ସୂଚନା ଥାଉକି, ବୁଧବାର ଅପରାହ୍ନରେ ୫ ଜଣ ସାଙ୍ଗ ସମୁଦ୍ରରେ ଗାଧୋଉ ଥିବାବେଳେ କେ. ଆର୍ଯ୍ୟପଲ୍ଲୀ ଗ୍ରାମର ହେମନସେନ ବେହେରା ଭାସି ଯାଇ ନିଖୋଜ ହୋଇଥିଲେ। ସେ ଡିପ୍ଲୋମା ଛାତ୍ର ଅଟନ୍ତି। ଏବେ ବି ତାଙ୍କୁ ଆକାଶପଥ ଓ ଜଳପଥରେ ଖୋଜାଖୋଜି କରାଯାଉଛି।

Share