୫୫ବର୍ଷ ପରେ ବି ହେଉନି ସମାଧାନ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ଅଧୀନ ବଡ଼କମଣ୍ଡରା ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକମାନେ ସୋମବାର ସ୍କୁଲରେ ତାଲା ପକାଇ ଦେଇଛନ୍ତି। ୧୯୬୬ରେ ପ୍ରତିଷ୍ଠିତ ଏହି ସ୍କୁଲରେ ଶିକ୍ଷକ ଅଭାବ ସହିତ ଶ୍ରେଣୀ କକ୍ଷର ମଧ୍ୟ ଅଭାବ ରହିଛି। ସ୍କୁଲକୁ ଯିବାକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୧୧ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ଏହି ସ୍କୁଲରେ ମାତ୍ର ୨ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ପ୍ରାୟ ୪ମାସ ହେଲା ଛୁଟିରେ ଅଛନ୍ତି। ଫଳରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଞ୍ଚଟି ଶ୍ରେଣୀର ପିଲାଙ୍କୁ କିପରି ପାଠ ପଢ଼ାଉଛନ୍ତି ସେନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।

ସରକାରଙ୍କ ନିୟମାନୁଯାୟୀ ୩୦ପିଲାରେ ଜଣେ ଶିକ୍ଷକ ହିସାବରେ ୪ଜଣ ଶିକ୍ଷକ ନିଯୁକ୍ତି ପାଇବା ଜରୁରୀ ବୋଲି ଅଭିଭାବକମାନେ କହିଛନ୍ତି। ତେଣୁ ତୁରନ୍ତ ଶିକ୍ଷକ ନିଯୁକ୍ତି ସହିତ ରାସ୍ତାକୁ କଂକ୍ରିଟ କରିବା, ଅଧିକ ଶ୍ରେଣୀ କକ୍ଷ ନିର୍ମାଣ କରିବା ଓ ପରିସରକୁ ସୁରକ୍ଷିତ କରିବା ଆଦି ନେଇ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ସ୍କୁଲରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଇଓଙ୍କୁ କୁହାଯାଇଛି। ସେହିପରି ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।