କାର୍ଯ୍ୟ ଶେଷର ୬ ବର୍ଷ ପରେ ବି କିସ୍ତି ମିଳିନି

ଯୋଡ଼ା,୨୬ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ଅଶେଇଁକଳା ପଞ୍ଚାୟତର ସାନବ ଗ୍ରାମର ମିଲୁ ଓରାମଙ୍କୁ ବିଜୁ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାର ୬ ବର୍ଷ ପରେ ବି ଶେଷ କିସ୍ତି ଟଙ୍କା ମିଳିନାହିଁ। ଏ ନେଇ ଯୋଡ଼ା ବ୍ଲକ୍‌ ବିଡ଼ିଓ ଓ ଅଧ୍ୟକ୍ଷଙ୍କୁ ସୋମବାର ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅନୁଯାୟୀ, ୧ ଜୁଲାଇ ୨୦୧୬ରେ ବିଜୁ ପକ୍କା ଘର ନିର୍ମାଣ ନିମନ୍ତେ ମିଲୁଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ତାଙ୍କୁ ତିନୋଟି କିସ୍ତିରେ ୧ ଲକ୍ଷ ଟଙ୍କା ପ୍ରଦାନ ମଧ୍ୟ କରାଯାଇଛି। କାର୍ଯ୍ୟ ଶେଷ ସମୟରେ ବ୍ଲକ୍‌ ପକ୍ଷରୁ ତାଙ୍କର କାର୍ଯ୍ୟାଦେଶକୁ ବାତିଲ କରି ଜନୈକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। କନିଷ୍ଠ ଯନ୍ତ୍ରୀ ଜଣକ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ପରେ ଶେଷ କିସ୍ତି ୩୦ ହଜାର ଟଙ୍କା ମିଳିବ ବୋଲି ମିଲୁଙ୍କୁ କହିଥିଲେ। ତେବେ ଘର କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ଘରର ଫଟୋ ଉଠାଇ ନେଇ ସମୟ ଗଡ଼େଇ ଚାଲିଥିଲେ। ଏକ ଖଣି କମ୍ପାନୀକୁ ବିଲ ଯାଇଛି, ବିଲ ଆସିଲେ ଶେଷ କିସ୍ତି ଟଙ୍କା ମିଳିବ ବୋଲି ତାଙ୍କୁ କୁହାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନ କହିଛନ୍ତି, କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାରୁ ଶେଷ କିସ୍ତି ଟଙ୍କା ତାଙ୍କୁ ପ୍ରଦାନ କରାଯାଇଛି। ଯୋଡ଼ା ବ୍ଲକ୍‌ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି, ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ। ଯୋଗାଯୋଗ ହେଲେ ଅଭିଯୋଗ ତାଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।