ଭୁବନେଶ୍ୱର,୧୫।୪ (ରବିନାରାୟଣ ଜେନା): ସମନ୍ବୟ ରକ୍ଷା କରୁଛି କିଏ? ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ନେଇ ଏହିଭଳି ମନ୍ତବ୍ୟ ଦେଇଛନ୍ତି ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ। ୮ ମାସ ପରେ ବି ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା(ଏସ୍ଏସ୍ଏପି) ସମ୍ପର୍କିତ କୌଣସି ପ୍ରସ୍ତାବ ନ ମିଳିବାରୁ ଚଳିତମାସ ୩ରେ ଉତ୍ତର-ପୂର୍ବାଞ୍ଚଳ ଆଞ୍ଚଳିକ ଜଳ ଓ ଭୂପରିଚାଳନା ଅନୁଷ୍ଠାନ (ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍)ଙ୍କ ପତ୍ର ପାଇବା ପରେ ଉନ୍ନୟନ ଆୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍ ପକ୍ଷରୁ ଜୁଲାଇ ୨୪ରେ ସବୁ ରାଜ୍ୟର ଜଳସମ୍ପଦ ବିଭାଗ ସହିତ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ପରିଚାଳନା ନେଇ ସ୍ବତନ୍ତ୍ର କାର୍ଯ୍ୟ ଖସଡ଼ା ନିର୍ଦ୍ଧାରିତ ସମୟ ଭିତରେ ଦେବାକୁ କୁହାଯାଇଥିଲା। ହେଲେ ଇତିମଧ୍ୟରେ ସାଢ଼େ ୮ମାସ ବିତି ଯାଇଥିଲେ ହେଁ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ଉତ୍ତର ଏପର୍ଯ୍ୟନ୍ତ ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍କୁ ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍ର ନିର୍ଦ୍ଦେଶକ ପ୍ରଦୀପ କୁମାର ବୋରା ଚଳିତମାସ ୩ରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବଙ୍କୁ ପତ୍ର ଲେଖି ଏଭଳି ଅବହେଳା କ’ଣ ପାଇଁ ବିଭାଗ ପକ୍ଷରୁ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଏହି ପତ୍ରର ଅବିକଳ ନକଲ ଏଠାରେ ଛପାଯାଇଛି।
ବୋରା ଦର୍ଶାଇଛନ୍ତି, ଜାତୀୟ ଜଳ ଆୟୋଗଙ୍କ ପକ୍ଷରୁ ଜୁଲାଇ ୨୪ରେ ହୋଇଥିବା ସମୀକ୍ଷା ବେଳେ ରାଜ୍ୟ ସରକାର ଏସଂକ୍ରାନ୍ତରେ ସ୍ବତନ୍ତ୍ର ପ୍ରସ୍ତାବ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ, ୨୦୨୪ ନଭେମ୍ବର ୧୦ ସୁଦ୍ଧା ଓଡ଼ିଶା ପକ୍ଷରୁ ଡିଏସ୍ଆର୍ ପ୍ରସ୍ତାବ ମିଳିବା କଥା। ସେହିପରି ମାର୍ଚ୍ଚ ସୁଦ୍ଧା ମଧ୍ୟବର୍ତ୍ତୀ ରିପୋର୍ଟ ପ୍ରଦାନ କରାଯିବା କଥା। ସେହିପରି ଜୁଲାଇ ୨୦୨୫ ସୁଦ୍ଧା ଏସ୍ଏସ୍ଏପି ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିନାହିଁ। ଜଳସମ୍ପଦ ବିଭାଗ ପକ୍ଷରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ନିରର୍ଥକ ହୋଇଛି। ତେଣୁ ତୁରନ୍ତ ଏସ୍ଏସ୍ଏପି ପଠାଇବାକୁ ବୋରା ପତ୍ରରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ଜୁଲାଇ ୨୭ରେ ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍ ଅତିରିକ୍ତ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୧୩ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଜଳ ପରିଚାଳନା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟ ପକ୍ଷରୁ କେବେସୁଦ୍ଧା ଡିଏସ୍ଆର୍ ରିପୋର୍ଟ ଓ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରାଯିବ ସେ ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ୮ମାସ ପରେ ବି ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍ ନିକଟରେ ରାଜ୍ୟର ଏସ୍ଏସ୍ଏପି ରିପୋର୍ଟ ପହଞ୍ଚି ପାରି ନାହିଁ। ଏହାକୁ ନେଇ ଏନ୍ଇଆର୍ଆଇଡବ୍ଲ୍ୟୁଏଲ୍ଏମ୍ ରାଜ୍ୟ ଜଳସମ୍ପଦ ବିଭାଗକୁ ପତ୍ର ଲେଖି ତାଗିଦ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ସଚିବ ଅନୁ ଗର୍ଗ ଏଭଳି ଅସନ୍ତୋଷ ବ୍ୟକ୍ତ କରିବା ସହିତ ସେଚସଦନସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କଠାରୁ ରିପୋର୍ଟ ଲୋଡ଼ିଛନ୍ତି। ରୁର୍କୀ ଆଇଆଇଟି ସହିତ ପରାମର୍ଶ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ପତ୍ରରେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କୁହାଯାଇଛି।