ଅବସର ପରେ ମଧ୍ୟ ଅଫିସରଙ୍କ ନାମ ହଟୁନି

ବଇଣ୍ଡା,୫।୫(ଡି.ଏନ.ଏ.): ପୋଲିସ ଚାକିରିରୁ ଅବସର ନେବାର ବର୍ଷେ ପରେ ମଧ୍ୟ ଥାନାରେ ଲାଗିଥିବା ବୋର୍ଡରେ ଅଫିସରଙ୍କ ନାମ ଓ ଟେଲିଫୋନ ନମ୍ବର ହଟାଯାଉ ନାହିଁ। ଫଳରେ ଉକ୍ତ ଫୋନ ନମ୍ବରରେ ବାରମ୍ବାର ଫୋନ କରି ଜନସାଧାରଣ ନିରାଶ ହେଉଛନ୍ତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ବୋର୍ଡରୁ ଅବସରପ୍ରାପ୍ତ ଅଫିସରଙ୍କ ନାମ ହଟାଯାଉ ନ ଥିବାରୁ ଏ ନେଇ ଠାକୁରଗଡ଼ ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ଠାକୁରଗଡ଼ ଥାନା ଅଞ୍ଚଳରେ କିଛିଦିନ ହେବ ଅସାମାଜିକ କାର୍ଯ୍ୟ କଳାପ ବୃଦ୍ଧି ପାଉଛି। ଏପରିକି ଅନେକ ଅପରାଧ ଘଟୁଛି। ହେଲେ ଥାନା ବୋର୍ଡରୁ ପ ଅବସରପ୍ରପ୍ତ ଅଫିସରଙ୍କ ନାମ ଓ ଟେଲିଫୋନ ନମ୍ବର ହଟାଯାଇ ନାହିଁ କି ବର୍ତ୍ତମାନ କାର୍ଯ୍ୟରତ ଅଫିସରଙ୍କ ନାମ ଓ ନମ୍ବର ଦିଆଯାଇ ନାହିଁ। ଫଳରେ ବୋର୍ଡରେ ଥିବା ମୋବାଇଲ ନମ୍ବରକୁ ଯୋଗାଯୋଗ କଲେ ସମ୍ପୃକ୍ତ ଅଫିସର ଅବସର ଗ୍ରହଣ କଲେଣି ବୋଲି ସୂଚନା ମିଳୁଛି। ଥାନା କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟ ଯୋଗୁ ଅପରାଧ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ତୁରନ୍ତ ଫଳକରୁ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କ ନାମ ଲିଭାଇ ନୂତନ ଅଧିକାରୀଙ୍କ ନାମ ଲେଖିବା, ପାଟ୍ରୋଲିଂ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ଠାକୁରଗଡ଼ ଆଇଆଇସି ପୀତାମ୍ବର ମଲ୍ଲିକ କହିଛନ୍ତି, ବୋର୍ଡରୁ ଅବସରପ୍ରାପ୍ତ ଅଫିସରଙ୍କ ନାମ ଲିଭାଇ ଦିଆଯିବ।