୧୬୭ ଲକ୍ଷ କୋଟି ଖର୍ଚ୍ଚ ପରେ ବି ଆମେରିକା ଖାଲିହାତରେ ଫେରିଲା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଅଗଷ୍ଟ ୩୧ର ଡେଡ୍‌ଲାଇନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସୈନ୍ୟବାହିନୀଙ୍କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ ମୁତୟନ କରାଯାଇଥିଲା। ଆଫଗାନିସ୍ତାନ ସରକାରଙ୍କ ସହିତ ମିଳିତ ଭାବେ ଆମେରିକା ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଥିଲା। ତେବେ ଶେଷରେ ୨୦ ବର୍ଷର ଲଢ଼େଇ ପରେ ଆମେରିକା ସୈନ୍ୟ ଖାଲିହାତରେ ସ୍ବଦେଶ ଫେରିଛନ୍ତି। ଆଫଗାନିସ୍ତାନରେ ୨୦୦୧ର ପୂର୍ବ ଦୟନୀୟ ଅବସ୍ଥା ପୁଣି ଫେରିବାକୁ ଯାଉଛି। ଅଜଣା ଭୟରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଆଫଗାନିସ୍ତାନ ଯୁଦ୍ଧରେ ଆମେରିକାର ୧୬୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଆମେରିକା ସୈନ୍ୟବାହିନୀର ୬,୩୮୪ ସୈନ୍ୟଙ୍କ ଜୀବନ ମଧ୍ୟ ଯାଇଛି। ୯ଲକ୍ଷ ୭୦ ହଜାରରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ତାଲିବାନ ବିରୋଧୀ ଲଢ଼େଇରେ ୨ଲକ୍ଷ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ତାଲିବାନ୍‌ ଶିବିର ଉପରେ ହୋଇଥିବା ଆମେରିକାର ଡ୍ରୋନ୍‌ ଆକ୍ରମଣରେ ୭୧,୩୪୪ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଭାରତର ପ୍ରତିରକ୍ଷା ବଜେଟର ୪୦ ଗୁଣା ଟଙ୍କା ଆମେରିକା ଆଫଗାନିସ୍ତାନରେ ଖର୍ଚ୍ଚ କରିଥିଲେ ବି କୌଣସି ସଫଳତା ମିଳି ନାହିଁ। ୨୦୨୧-୨୨ ପାଇଁ ଭାରତର ପ୍ରତିରକ୍ଷା ବଜେଟ୍‌ ୪.୭୮ ଲକ୍ଷ କୋଟି ରହିଛି। ଏହାଠାରୁ ଢ଼େର୍‌ ଅଧିକ ଖର୍ଚ୍ଚ କରି ମଧ୍ୟ ଆମେରିକା ସୈନ୍ୟବାହିନୀ ଆଫଗାନିସ୍ତାନ ଯୁୂଦ୍ଧରେ ବିଫଳ ହୋଇଛନ୍ତି। ଅମେରିକାର ପହରା ହଟିବା ପରେ ତାଲିବାନ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇ କୁହାଯାଇଛି ଯେ, ଏବେ ଆମେ ସ୍ବାଧୀନ। ତେବେ ଆଫଗାନିସ୍ତାନର ଯୁବବର୍ଗଙ୍କ ଭବିଷ୍ୟତ ଉପରେ ସଙ୍କଟକ ସୃଷ୍ଟି ହେବାରେ ଲାଗିଛି।

Share