Categories: ଫୁରସତ

ଅସ୍ତ୍ରୋପଚାର ପରେ ବି ମହିଳାଙ୍କୁ ମିଳିଲାନି ଶାନ୍ତି, ଆଉ ଥରେ ଚେକ୍‌ଅପ୍‌ କରାଇବାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା

ଦୁନିଆରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି କେବେ କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ବେଳେବେଳେ ଏମିତି ହୋଇଥାଏ କି,ଲୋକେ ମୃତ୍ୟୁକୁ ପରାସ୍ତ କରି ଫେରିଥାନ୍ତି। ସେଥିପାଇଁ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ। ଆଉ ବେଳେବେଳେ ଏମିତି ହୋଇଥାଏ, ଭଗବାନ କୁହାଯାଉଥିବା ଡାକ୍ତରଙ୍କ ଅବହେଳା ଯୋଗୁ ରୋଗୀଙ୍କ ଜୀବନ ବି ଚାଲିଯାଇଥାଏ। ଏବେ ସେମିତି ଏକ ଅବହେଳାପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି।

ବ୍ରିଟେନରେ ଜଣେ ମହିଳାଙ୍କର ପେଟ ଜନିତ ସମସ୍ୟା ହେତୁ ଅସ୍ତ୍ରୋପଚାର କରାଯାଇଥିଲା। କିନ୍ତୁ ପରେ ତାଙ୍କର ସମସ୍ୟା ବଢ଼ିବାରେ ଲାଗିଲା । ଏହାକୁ ନେଇ ସେ ଚିନ୍ତିତ ହୋଇପଡ଼ିଲେ। ତାଙ୍କର ପେଟ ଦରଜ ହେଲା। ତେଣୁ ସେ ପୁଣି ଚେକ୍‌ଅପ୍‌ କରାଇଲେ। ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ।

୪୯ ବର୍ଷୀୟା ମହିଳାଙ୍କ ଓଭାରିରେ ସମସ୍ୟା ଦେଖା ଦେବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ଅସ୍ତ୍ରୋପଚାରର କିଛି ଦିନ ପରେ ତାଙ୍କ ପେଟରେ ପୁଣି ପ୍ରବଳ ଯନ୍ତ୍ରଣା ଆରମ୍ଭ ହେଲା। ସେ ଏହାର କାରଣ ବୁଝିପାରିଲେ ନାହିଁ। ପୁଣିଥରେ ଡାକ୍ତରମାନେ ସମସ୍ୟାର କାରଣ ଜାଣିବା ପାଇଁ ଚେକ୍‌ଅପ୍‌ କରାଇଥିଲେ। କିନ୍ତୁ ରିପୋର୍ଟ ଆସିବା ପରେ ମହିଳାଙ୍କ ସହ ଡାକ୍ତରଙ୍କ ପାଦ ମଧ୍ୟ ଭୂମିତଳୁ ଖସି ଯାଇଥିଲା। ତାଙ୍କ ପେଟରେ ଏକ ବ୍ଲେଡ୍‌ ରହିଯାଇଥିଲା।

ଡାକ୍ତରଙ୍କ ଅବହେଳା ଯୋଗୁ ମହିଳାଙ୍କୁ ପୁନର୍ବାର ଅସ୍ତ୍ରୋପଚାର କରିବାକୁ ପଡ଼ିଲା। ସେହି ବ୍ଲେଡ ଖଣ୍ଡଟି ଗତ ପାଞ୍ଚ ଦିନ ଧରି ମହିଳାଙ୍କୁ କ୍ରମାଗତ ଭାବରେ ଅସୁବିଧାରେ ପକାଉଥିଲା। ଯନ୍ତ୍ରଣା କମିବା ପରିବର୍ତ୍ତେ ଫଳରେ ତାଙ୍କୁ ନିର୍ଦ୍ଧାରିତ ସମୟ ଅପେକ୍ଷା ଡାକ୍ତରଖାନାରେ ଦୁଇ ସପ୍ତାହ ଅଧିକ  ରହିବାକୁ ପଡ଼ିଲା। ପୁନର୍ବାର ଅସ୍ତ୍ରୋପଚାର ପରେ ସେ ଯନ୍ତ୍ରଣାରୁ ମୁକ୍ତି ପାଇଲେ। କିନ୍ତୁ ଏହାପୂର୍ବରୁ ମହିଳା ଜଣକ କହିଥିଲେ ଯେ, ସେ ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ। କାରଣ ବହୁ ରକ୍ତ ପ୍ରବାହିତ ହୋଇଥିଲା ଏବଂ ଅସହ୍ୟ ଯନ୍ତ୍ରଣା ହେଉଥିଲା।

ଏକ ରିପୋର୍ଟ ଅନୁଯାୟୀ, କେବଳ ବ୍ରିଟେନରେ ୨୦୨୧ରୁ ୨୦୨୨ ମଧ୍ୟରେ ଡାକ୍ତରଙ୍କ ଅବହେଳା ହେତୁ ପ୍ରାୟ ୨୯୧ଟି ଘଟଣା ଘଟିଛି। ଏଭଳି ପରିସ୍ଥିତିରେ ଡାକ୍ତରମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରିବା କିପରି ସମ୍ଭବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share