ଦୁଇ ଦିନ ପରେ ବି ମିଳୁନି ସମୁଦ୍ରରେ ନିଖୋଜ ଛାତ୍ରଙ୍କ ପତ୍ତା

ଛତ୍ରପୁର,୨୧।୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଗାଧେଇବା ବେଳେ ଭାସି ଯାଇ ଡିପ୍ଲୋମା ଛାତ୍ର ହେମନସେନ ବେହେରାଙ୍କ ନିଖୋଜ ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଉଦ୍ଧାର ହୋଇପାରିନାହିଁ । ଶୁକ୍ରବାର ସକାଳୁ ଗଞ୍ଜାମ ବ୍ଲକ ଗୋଖରକୁଦା ଋଷିକୁଲ୍ୟା ମୁହାଣ ନିକଟରେ ଏକ ମୃତଦେହ ଭାସୁଥିବାର ଖବର ଚାରିଆଡେ ପ୍ରକାଶ ପାଇଥିଲା। ତୁରନ୍ତ ଓଡ୍ରାଫ ୟୁନିଟ୍‌ ଓ ଆର୍ଯ୍ୟପଲ୍ଲୀ ଗ୍ରାମାବସୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲେ ହେଁ ତାହା ମିଥ୍ୟା ଖବର ବୋଲି ଜଣାପଡିଥିଲା। ଏହାକୁ ନେଇ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି।

ଏପରିକି ଗୁରୁବାର ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ଏକ ହେଲିକାପ୍ଟର ଆସି ସମୁଦ୍ରରେ ଦୀର୍ଘ ୨ ଘଣ୍ଟା ଧରି ଆକାଶମାର୍ଗରୁ ଖୋଜାଖୋଜି କରିଥିଲା। ତଥାପି ନିଖୋଜ ଛାତ୍ରଙ୍କ ପତ୍ତା ମିଳିପାରି ନ ଥିଲା । ଓଡ୍ରାଫ,ଅଗ୍ନିଶ୍ରମ ବିଭାଗ,ତଟରକ୍ଷା ବାହିନୀ ମଧ୍ୟ ସମୁଦ୍ରରେ ବହୁ ସମୟ ଖୋଜାଖୋଜି କରିଥିଲେ ବି ସନ୍ଧାନ ମିଳିପାରିନାହିଁ।

ସୂଚନା ଥାଉ କି, ବୁଧବାର ଅପରାହ୍ନ ୫ଟାରେ କେ.ଆର୍ଯ୍ୟପଲ୍ଲୀ ଗ୍ରାମର ତୁରନସେନ ବେହେରାଙ୍କ ସାନ ପୁଅ ହେମନସେନ ବେହେରାଙ୍କ ସମେତ ୫ ଜଣ ସାଙ୍କ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ଉଚ୍ଚ ଜୁଆର ଆସିବାରୁ ହେମନସେନ ବେହେରା ଭାସି ଯାଇଥିଲେ ।