ରାୟପୁର,୫।୩ : ବୁଢ଼ା ହୋଇଗଲେ ବି ସିଂହ। ଏଠାରେ ଆମେ ଜଙ୍ଗଲର ରାଜା ସିଂହ ସମ୍ପର୍କରେ ନୁହେଁ କ୍ରିକେଟର ସିଂହ କଥା କହୁଛୁ ଅର୍ଥାତ ବୀରେନ୍ଦ୍ର ସେହ୍ବାଗ। ୮ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ ଛାଡ଼ି ସାରିଥିବା ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଜି ବି ବ୍ୟାଟିଂ ଭୁଲି ନାହାନ୍ତି। ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ରୋଡ୍ ସେଫ୍ଟି ଓ୍ବାଲର୍ଡ ଟି୨୦ ସିରିଜ୍ ଏକ ମ୍ୟାଚ୍ରେ ସେହ୍ବାଗଙ୍କୁ ପୁଣି ଥରେ ସେହି ପୁରୁଣା ରୂପରେ ଦେଖିବାକୁ ମିଳିଛି। ତାଙ୍କର ବିସ୍ଫୋରକ ୮୦ ରନ୍ର ଇନିଂସ ଯୋଗୁ ବାଂଲାଦେଶ ଲିଜେଣ୍ଡ୍ସକୁ ୫୯ ବଲ ପୂର୍ବରୁ ୧୦ ଉଇକେଟରେ ହରାଇ ଦେଇଛି ଇଣ୍ଡିଆ ଲିଜେଣ୍ଡ୍ସ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଲିଜେଣ୍ଡ୍ସ ଭଲ ଆରମ୍ଭ ସତ୍ତ୍ୱେ ମାତ୍ର ୧୦୯ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ନାଜିମୁଦ୍ଦିନ ୪୯ ରନ୍ କରିଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ବିନୟ କୁମାର, ଯୁବରାଜ ସିଂ ଓ ପ୍ରଜ୍ଞାନ ଓଝା ହାତେଇଥିଲେ ୨ ଲେଖାଏ ଉଇକେଟ। ଜବାବରେ ସଚିନ ତେନ୍ଦୁଲକର ଓ ସେହ୍ବାଗଙ୍କ ଓପନିଂ ଯୋଡ଼ି ୧୦.୧ ଓଭରରେ ହିଁ ହାସଲ କରିନେଇଥିଲେ ବିଜୟ ଲକ୍ଷ୍ୟ। ମ୍ୟାଚ୍ରେ ଛକା ଓ ଚୌକା ବର୍ଷା କରିଥିଲେ ସେହ୍ବାଗ। ମାତ୍ର ୩୫ ବଲରେ ଖେଳିଥିଲେ ବିସ୍ଫୋରକ ୮୦ ରନ୍ର ଇନିଂସ। ତାଙ୍କ ପାଳିରେ ଥିଲା ୧୦ ଚୌକା ଓ ୫ ଛକା। ଆଉ ସଚିନ ୫ ଚୌକା ସହ ୩୩ ରନ୍ କରିଥିଲେ।