ବିପିନ ରାଓ୍ବତଙ୍କ ପୂର୍ବରୁ ଏସବୁ ନେତାମାନଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଯାଇଛି ଜୀବନ

ନୂଆଦିଲ୍ଲୀ,୮ା୧୨: ସିଡିଏସ୍‌ ବିପିନ ରାଓ୍ବତଙ୍କ ବୁଧବାର ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହାନି ଘଟିଛି। ଏହି ଦୁର୍ଘଟଣା ସତେ ଯେମିତି ପୂର୍ବ ଘଟଣାର ସ୍ମୃତି ଫେରାଇ ଆଣିଛି। ଏହା ପୂର୍ବରୁ ଅନେକ ଭାରତୀୟ ରାଜନେତାଙ୍କ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି। ଏମାନଙ୍କ ମଧ୍ୟରେ ଓ୍ବାଇଏସ୍‌ ରାଜଶେଖର ରେଡ୍ଡୀ, ସଞ୍ଜୟ ଗାନ୍ଧୀ, ମାଧବ ରାଓ ସିନ୍ଧିଆ, ଜିଏମ୍‌ସି ବାଲ ଯୋଗୀ, ଏସ୍‌.ମୋହନ କୁମାର ମଙ୍ଗଲମ, ଓପି ଜିନ୍ଦଲ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋରାଜୀ ଖାଣ୍ଡୁଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଛି।

– ୧୯୬୩ ମସିହାରେ ଜମ୍ମୁ କଶ୍ମୀର ନିକଟରେ ବିମାନ ଦୁର୍ଘଟଣାରେ ଲେଫ୍ଟନାଣ୍ଟ ଜେନେରାଲ ଦୌଲତ ସିଂଙ୍କ ପ୍ରାଣହାନି ଘଟିଥିଲା।

– ସେହିପରି ୩୧ ମେ ୧୯୭୩ରେ କଂଗ୍ରେସ ନେତା ମୋହନ କୁମାର ମଙ୍ଗଲମ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସେ ଇଣ୍ଡିଆନ ଏୟାରଲାଇନ୍ସ ୪୪୦ ନାମକ ଏକ ବିମାନରେ ଥିଲେ।

– ୨୩ ଜୁନ୍‌ ୧୯୮୦ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ନୂଆଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନିଜର ଏକ ବ୍ୟକ୍ତିଗତ ବିମାନ ଉଡ଼ାଉଥିଲେ। ସେ ଜଣେ ଭଲ ପାଇଲଟ ଥିଲେ।

– ୨୦୧୧ରେ ହେଲିକପ୍ଟର ଦୁର୍ଘଟଣାରେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରାଜୀ ଖାଣ୍ଡୁଙ୍କର ପ୍ରାଣହାନି ଘଟିଥିଲା। ତାଙ୍କ ଶରୀର ଅନେକ ଦିନ ଧରି ନିଖୋଜ ଥିଲା।

– ୨୦୦୧ ମସିହାରେ ଅରୁଣାଚଳ ପ୍ରଦେଶର ଶିକ୍ଷା ମନ୍ତ୍ରୀ ନାଥୁଙ୍ଗ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

– ୩୦ ସେପ୍ଟେମ୍ବର ୨୦୦୧ରେ ବିମାନ ଦୁର୍ଘଟଣାରେ କଂଗ୍ରେସ ନେତା ମାଧବ ରାଓ୍ବ ସିନ୍ଧିଆଙ୍କର ପ୍ରାଣହାନି ଘଟିଥିଲା। ଏଥିରେ ୪ ଜଣ ସାମ୍ବାଦିକ ମଧ୍ୟ ଥିଲେ। ପ୍ରବଳ ବର୍ଷା ହେତୁ ହେଲିକପ୍ଟରଟି ଏକ ଧାନ କ୍ଷେତରେ ଖସିପଡ଼ିଥିଲା।

ସେହିପରି ଓପି ଜିନ୍ଦଲ ଏବଂ ଜିଏମ୍‌ସି ବାଲ୍‌ଯୋଗୀଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣହାନି ଘଟିଥିଲା। କୁହାଯାଏ, ୧୮ ଅଗଷ୍ଟ ୧୯୪୫ରେ ବିମାନ ଦୁର୍ଘଟଣାରେ ସୁଭାଷ ବୋଷଙ୍କର ମଧ୍ୟ ପ୍ରାଣହାନି ଘଟିଥିଲା। କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଏବେ ବି ସନ୍ଦେହ ଜାରି ହୋଇଛି।

Share