କେନ୍ଦ୍ର ସରକାର ନ ଦେଲେ ବି ଆମେ ମାଗଣାରେ ଦେବୁ କରୋନା ଟିକା: କେଜରିୱାଲ

ନୂଆଦିଲ୍ଲୀ,୧୩ ।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ଏକ ବଡ ଘୋଷଣା କରିଛନ୍ତି । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଏବେ କରୋନା ଭ୍ୟାକ୍ସିନ ଆମ ନିକଟରେ ପହଞ୍ଚିଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହା କେବଳ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଫ୍ରଣ୍ଟ ଲାଇନ ୱାରିୟର୍ସଙ୍କୁ ଦିଆଯିବାକୁ ସ୍ଥିର କରାଯାଇଛି । ତେବେ ଏହି କରୋନା ଟିକା ମାଗଣାରେ ମିଳୁ ବୋଲି ଦାବି କରାଯାଉଛି । ଏହି ସମୟ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯଦି କେନ୍ଦ୍ର ସରକାର ମାଗଣା କରୋନା ଟିକା ନ ଦିଅନ୍ତି ତେବେ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବେ । ଆସନ୍ତା ୧୬ ତାରିଖରେ ସାରା ଦେଶରେ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏହାକୁ ନେଇ କେହି ଯେମିତି ଭୁଲ ତଥ୍ୟ ପ୍ରକାଶ ନ କରନ୍ତୁ ବୋଲି କେଜରିୱାଲ କହିଛନ୍ତି । ବିଶେଷଜ୍ଞ ଓ କେନ୍ଦ୍ର ସରକାର ସବୁ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଏହି କରୋନା ଟିକା ପ୍ରସ୍ତୁତ କରି ଥିବାରୁ ଏହା ନିଶ୍ଚୟ ଫଳପ୍ରଦ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କେଜରିୱଲେ ସମସ୍ତ ଦେଶବାସୀଙ୍କୁ କରୋନା ଟିକା ମାଗଣାରେ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ବି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର କୌଣସି ଉତ୍ତର ମିଳିପାରି ନାହିଁ ।

 

Share