Categories: ଜାତୀୟ

ସ୍ବାମୀ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ, କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୪ା୨: ରୋଜଗାର କରୁ ନ ଥିବା ବେକାର ସ୍ବାମୀଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇ ପାରିବ ନାହିଁ। ସେ ନିଜେ ବେକାର ଥିଲେ ବି ସ୍ତ୍ରୀଙ୍କର ଦାୟିତ୍ୱ ବହନ କରିବାରୁ ମୁକ୍ତି ପାଇବେ ନାହିଁ ବୋଲି ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ପକ୍ଷରୁ ରାୟ ପ୍ରଦାନ କରାଯାଇଛି। ଏକ ମାମଲାର ବିଚାର କରି ଅତିରିକ୍ତ ସେସନ୍ସ୍‌ ବିଚାରପତି ସଞ୍ଜୟ ଶର୍ମା କହିଛନ୍ତି ଯେ, ସ୍ବାମୀଙ୍କୁ ଦାୟିତ୍ୱ ମୁକ୍ତ କରାଯାଇ ପାରିବ ନାହିଁ। ତେଣୁ ସ୍ବାମୀ ସ୍ତ୍ରୀଙ୍କୁ ମାସିକ ୫,୧୩୩ ଟଙ୍କାର ଭରଣପୋଷଣ ପ୍ରଦାନ କରିବେ।

ଏହା ସହିତ କୋର୍ଟ ପରିବାର ଅଦାଲତଙ୍କ ଭରଣପୋଷଣ ନିର୍ଦ୍ଦେଶକୁ କାଏମ୍‌ ରଖିଛନ୍ତି। ସେସନ୍ସ୍‌ ବିଚାରପତି କହିଛନ୍ତି ଯେ, ସ୍ବାମୀ ଜଣେ ଶିକ୍ଷିତ ବ୍ୟକ୍ତି। ତାଙ୍କର ପେଶାଦାର ଶିକ୍ଷାଗତ ଯୋଗ୍ୟତା ରହିଛି। ଗୋଟିଏ ଚାକିରି ହରାଇଲେ ସେ ଅନ୍ୟ ଚାକିରି ଖୋଜି ନିଯୁକ୍ତି ହେବା ଆବଶ୍ୟକ। ମାତ୍ର ଚାକିରି ନାହିଁ ବେକାର ବୋଲି ଦର୍ଶାଇ ଦାୟିତ୍ୱବୋଧରୁ ମୁକ୍ତ ହୋଇ ପାରିବେ ନାହିଁ।

ପାରିବାରିକ ହିଂସା ଅନ୍ତର୍ଗତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ରହିଛି। ସ୍ତ୍ରୀ ଦର୍ଶାଇଛନ୍ତି ଯେ, ସ୍ବାମୀଙ୍କ ମାସିକ ଆୟ ୫୦,୦୦୦ ଟଙ୍କା। ତେବେ ସ୍ବାମୀ ଉଲ୍ଲେଖ କରିଛନ୍ତି ସେ ଏକ ଷ୍ଟୁଡ଼ିଓରେ କାମ କରୁଛନ୍ତି। ସେଠାରେ ତାଙ୍କର ମାସିକ ଦରମା ମାତ୍ର ୬,୦୦୦ ଟଙ୍କା ରହିଛି। ଏବେ ସେ ଚାକିରି ହରାଇ ଥିବାରୁ ତାଙ୍କୁ ଭରଣପୋଷଣରୁ ମୁକ୍ତ କରାଯାଉ ବୋଲି ସ୍ବାମୀ ଆବେଦନରେ ଦର୍ଶାଇଥିଲେ।

Share