Categories: ଜାତୀୟ

ସ୍ତ୍ରୀ ରୋଜଗାର କରୁଥିଲେ ବି ସ୍ବାମୀ ଦେବେ ଭରଣପୋଷଣ…

ନୂଆଦିଲ୍ଲୀ, ୨୩।୧୨: ରୋଜଗାର କରୁଥିବା ସ୍ତ୍ରୀଙ୍କୁ ମଧ୍ୟ ସ୍ବାମୀ ଭରଣପୋଷଣ ଦେବାକୁ ବାଧ୍ୟ। ଏହାକୁ ମନା କରିବା ଲାଗି ନ୍ୟାୟିକ ପୃଷ୍ଠଭୂମି ନାହିଁ ବୋଲି ଦିଲ୍ଳୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ବିଚାରପତି ସୁବ୍ରାମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସ୍ତ୍ରୀ ପରିବାର ପାଇଁ ବିଭିନ୍ନ ସମୟରେ କଷ୍ଟ ଉଠାଇବା ସହିତ ନିଜ କ୍ୟାରିୟରକୁ ବଳିଦାନ ଦେଇଥାନ୍ତି। ତେଣୁ ସେ ରୋଜଗାର କରୁଥିଲେ ତାଙ୍କୁ ସ୍ବାମୀଙ୍କର ମଧ୍ୟ ଭରଣପୋଷଣରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ସିଆର୍‌ପିସି ଧାରା ୧୨୫ ଅନ୍ତର୍ଗତ ସ୍ବାମୀଙ୍କ ଘର ଛାଡ଼ିଥିବା ସ୍ତ୍ରୀ ଏବଂ ତାଙ୍କ ସନ୍ତାନଙ୍କ ଚଳିବା ଲାଗି ବ୍ୟବସ୍ଥା କରିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଭାରତୀୟ ସେନା ବାହିିନୀରେ କଲୋନେଲ ଥିବା ସ୍ବାମୀଙ୍କୁ ମାସିକ ୩୩,୫୦୦ ଭରଣାପୋଷଣ ଦେବାକୁ ଫ୍ୟାମିଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହା ବିରୋଧରେ ସ୍ବାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ବାମୀ ଦର୍ଶାଇଥିଲେ ଯେ ତାଙ୍କ ସ୍ତ୍ରୀ ଶିକ୍ଷକତାରୁ ରୋଜଗାର କରୁଛନ୍ତି। ଏହା ସହିତ ସେନାବାହିନୀର ଜଣେ ସହକର୍ମୀଙ୍କ ସହିତ ତାଙ୍କର ଅବୈଧ ସମ୍ପର୍କ ରହିଛି। ସ୍ତ୍ରୀ ସମ୍ପୃକ୍ତ ସହକର୍ମୀଙ୍କ ସହିତ ରହୁଛନ୍ତି। ତେଣୁ ତାଙ୍କୁ ଭରଣପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି କଲୋନେଲ୍‌ ସ୍ବାମୀ ଆବେଦନପତ୍ରରେ ଉଲ୍ଲେଖ କରିଥିଲେ।

ଏନେଇ ସ୍ତ୍ରୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା ଯେ, ତାଙ୍କ ବୈବାହିକ ଜୀବନରେ ଭଲ ପାଇବା ନ ଥିଲା। ତେଣୁ ଛାଡ଼ପତ୍ର ପାଇଁ ଆବେଦନ କରାଯାଇଥିଲା। ଖଣ୍ଡପୀଠ ହିନ୍ଦୁ ବିବାହ ଆକ୍ଟର ଧାରା ୨୪ ଅର୍ନ୍ତଗତ ଘରୋଇ ମହିଳା ହିଂସା ଆକ୍ଟ ୨୦୦୫ ଅନୁସାରେ ଭରଣପୋଷଣ ସୁନିଶ୍ଚିତ କରାଇବା ଅତ୍ୟାବଶ୍ୟକ ବୋଲି କହିଥିଲେ।

Share