ଓ୍ବାଶିଂଟନ,୧୧।୨: ଆମେରିକାରେ ଘଟିଥିବା କ୍ୟାପେିଟୋଲ ହିଲ ହିଂସା ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟୁଇଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା। ଦେଶରେ ଉତ୍ତେଜନା ସୃଷ୍ଟି କରିବା ଲାଗି ବିଭିନ୍ନ କଣ୍ଟେଟ୍ ଟ୍ରମ୍ପ୍ଙ୍କ ଅକାଉଣ୍ଟ୍ରେ ଅପଲୋଡ୍ କରାଯାଉଥିବା ଟୁଇଟର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏହି ପ୍ରତିବନ୍ଧକ ୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଏବେ ଜଣାପଡ଼ିଛି। ଟୁଇଟର ସିଏଫ୍ଓ ନେଡ୍ ସେଗଲ କହିଛନ୍ତି ଯେ, ୨୦୨୪ରେ ଟ୍ରମ୍ପ୍ ପୁଣି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିଲେ ବି ତାଙ୍କ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିବ ନାହିଁ। ଏକ ସାକ୍ଷାତ୍କାରରେ ସେଗଲ କହିଛନ୍ତି, ଯେତେବେଳେ କୌଣସି ଆକାଉଣ୍ଟ୍କୁ ହଟାଯାଏ ତାହା ସମ୍ପୂର୍ଣ୍ଣ ଭାବେ କରାଯାଇଥାଏ। ହଟାଯାଉଥିବା ଆକାଉଣ୍ଟ ଯେତେ ବଡ଼ ନେତା ଅବା ଅନ୍ୟ କୌଣସି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ହୁଅନ୍ତୁ ଏହାର ପ୍ରଭାବ କମ୍ପାନୀ ଉପରେ ପଡ଼ି ନ ଥାଏ। ଟୁଇଟର ସର୍ବଦା କାର୍ଯ୍ୟରେ ସ୍ବଚ୍ଛତାକୁ ହିଁ ପସନ୍ଦ କରିଥାଏ। ଏହା ୟୁଜରଙ୍କ ପ୍ରତି କମ୍ପାନୀର ପ୍ରତିଶ୍ରୁତି ବଦ୍ଧତା ବୋଲି ସେ କହିଛନ୍ତି।