ନୟାଗଡ଼ ଅଫିସ,୫।୬: ବଣପାହାଡ଼ ଘେରା ନୟାଗଡ଼ ଜିଲାରେ ଜଙ୍ଗଲିଆ ଅଞ୍ଚଳ ଧୀରେ ଧୀରେ ପଦା ହେଉଛି। ଜଙ୍ଗଲ ପରିମାଣ କମି ଚାଲିଥିବାବେଳେ କଂକ୍ରିଟ କୋଠାବାଡି ଓ ରାସ୍ତା ନିର୍ମାଣ ବୃଦ୍ଧି ପାଇଛି। ସଚେତନତାର ଅଭାବ ଓ ବିକାଶ ନାଁରେ ବିନାଶ ଚାଲିଥିବାରୁ ସ୍ଥଳ, ଜଳ ଓ ଆକାଶ ପ୍ରଦୂଷିତ ହୋଇ ଚାଲିଛି। ବୁଦ୍ଧିଜୀବୀ, ପରିବେଶବିତ୍, ସରକାର ଓ ସାଧାରଣ ଲୋକଙ୍କୁ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଶୂନ।
ପରିବେଶବିତ୍ ସଞ୍ଜୟ ସାହୁ କୁହନ୍ତି, ପାହାଡ଼ିଆ ଅଞ୍ଚଳ ନୟାଗଡ଼ ଜିଲାରେ ପଥରଚୋର, କାଠଚୋର, କରତ କଳ ଓ କ୍ରଶର ମାଲିକ, ଶିକାରୀଙ୍କ ଯୋଗୁ ବହୁ ମୁଣ୍ଡିଆ ପଦା ହୋଇଗଲାଣି। ଅନେକ ଜଙ୍ଗଲ ଲୋପ ହୋଇଗଲାଣି। ଠେଙ୍ଗାପାଳିରେ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲାରେ କିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର ହୋଇ ପାରିଛି। ହେଲେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ଆନ୍ତରିକତା ନ ଥିବା ପରି ମନେ ହେଉଛି। ପରିବେଶ ସୁରକ୍ଷା ପାଇଁ ନୂଆ ଆଇନ ଆଣି ଲୋକମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରାଇ ନିଜ ପରିବେଶକୁ ନିଜେ ସମ୍ଭାଳିବାକୁ ବ୍ୟବସ୍ଥା କରାଇବା ଦରକାର।
ଗଛ ସାର୍ ତଥା ପରିବେଶବିତ୍ ଅନ୍ତର୍ଯ୍ୟାମୀ ସାହୁ କୁହନ୍ତି, ପ୍ରକୃତି ଉପରେ ମଣିଷର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିଗିଡ଼ିଚାଲିଛି ପରିବେଶ। ଭୂତଳ ଜଳ ବି ବିଷ ହେଲାଣି। ପଲିଥିନ ବ୍ୟାଗ୍ ବ୍ୟବହାର ନିଷିଦ୍ଧ ହୋଇଥିଲେ ହେଁ ଏହାର ଅଧିକ ବ୍ୟବହାର ହେଉଛି। ପ୍ରଦୂଷିତ ପରିବେଶ କେବଳ ମାନବ ସଭ୍ୟତା ପାଇଁ ନୁହେଁ, ଜୀବଜଗତ ପାଇଁ ମହା ବିପତ୍ତି ସୃଷ୍ଟି କରିଛି। ଜନସଂଖ୍ୟା ବିସ୍ଫୋରଣର ପ୍ରତିକୂଳ ପ୍ରଭାବ ପ୍ରକୃତି ଆଉ ସହ୍ୟ କରିପାରୁନି। ଭୂମିର ବ୍ୟବହାରିକ ପରିବର୍ତ୍ତନ, ଜଙ୍ଗଲ କ୍ଷୟ, ପ୍ରାକୃତିକ ଆବାସସ୍ଥଳୀ ନଷ୍ଟ ପଛରେ ମଣିଷର ହାତ ରହିଛି। ଭଲ ପରିବେଶ ପାଇଁ ଆନ୍ଦୋଳନର ଆବଶ୍ୟକତା ଦେଖାଦେଇଛି।
ପରିବେଶବିତ୍ ଶାନ୍ତନୁ ବିଶୋଇ କୁହନ୍ତି, ବିକାଶ ନାଁରେ ଗଛ କଟା ଚାଲିଛି। ତେବେ ନୂଆ ବୃକ୍ଷ ସେଇ ପରିମାଣର ଲଗା ଯାଉନି। ବୃକ୍ଷରୋପଣ ନାଁରେ ଯେଉଁ ବାହାବା ନିଆଯାଉଛି ତେବେ କେତେ ଗଛ ବଞ୍ଚୁଛି ତା’ର ହିସାବ କେହି ଦେଉ ନାହାନ୍ତି। କିଛି ଫଟୋ ଓ ଭିଜୁଆଲ ସଂଗ୍ରହ କରାଯାଇ ପରିବେଶବିତ୍ ପୁରସ୍କାର ହାତେଇବା ପାଇଁ ଯେତିକି ତପତ୍ରତା ପ୍ରକାଶ ପାଉଛି ପରିବେଶ ସୁରକ୍ଷା ପାଇଁ ସେତିକି ଉଦ୍ୟମ ନାହିଁ। ପରିବେଶ ସୁରକ୍ଷାକୁ ଯଦି ଗୁରୁତ୍ୱ ଦିଆ ନ ଯାଏ ଆଗକୁ ଆସୁଥିବା ବିପଦ କୋଭିଡ୍ଠାରୁ ଅଧିକ ଭୟଙ୍କର ହେବ। ଏଥିରେ ସନ୍ଦେହ ନାହିଁ।
ଡିଏଫଓ ଧନରାଜ ଏଚ୍ଡି କୁହନ୍ତି, ନୟାଗଡ଼ ବନଖଣ୍ଡରେ ୩୭ ପ୍ରତିଶତ ଜଙ୍ଗଲ ରହିଛି। ବନବିଭାଗ ସହ ୩୩୬ ବନସୁରକ୍ଷା ସମିତି ଜଙ୍ଗଲ ସୁରକ୍ଷା କାମରେ ନିୟୋଜିତ ଅଛନ୍ତି। ବୃକ୍ଷରୋପଣକୁ ଗୁରୁତ୍ୱ ସହ କାଠଚୋରଙ୍କୁ ଦମନ ପାଇଁ ପଦକ୍ଷେପ ନିଆଯାଉଛି।