Categories: ଫୁରସତ

ଏମିତି ବି ଅଛନ୍ତି ପ୍ରାଣୀ

ଲୋଲ୍ୟାଣ୍ଡ ଷ୍ଟ୍ରିକ୍‌ଡ ଟେନ୍‌ରେକ୍‌: ଏହା ଏକ କ୍ଷୁଦ୍ର ସ୍ତନ୍ୟପାୟୀ ପ୍ରାଣୀ। ଏହା ମୁଖ୍ୟତଃ ମାଡାଗାସ୍କାରଠାରେ ଦେଖିବାକୁ ମିଳିଥା’ନ୍ତି। ଏହାର ଲମ୍ବ ୪.୮ ରୁ ୬.୫ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୨୦୦ ଗ୍ରାମ ହୋଇଥାଏ। ଏହାର ଶରୀରରେ ଛୋଟ ଛୋଟ କଣ୍ଟା ସଦୃଶ ପର ରହିଛି, ଯାହାକୁ କାଟି ହେବ। ଏହା ଶରୀରର ରଙ୍ଗ ଉପରେ ଧଳା ହୋଇଥିବା ବେଳେ ଧୀରେ ଧୀରେ ତଳକୁ ହଳଦିଆ ହୋଇଆସେ। ଏମାନେ ମୁଖ୍ୟତଃ ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଛୁଆ ଜନ୍ମ କରିଥା’ନ୍ତି। ଏମାନଙ୍କର ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ କାର୍ଯ୍ୟକ୍ଷମ।
ରେଡ୍‌ ଲିପ୍‌ ବ୍ୟାଟ୍‌ ଫିଶ୍‌: ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଲାଗି ଝିଅମାନେ ସାଧାରଣତଃ ବିଭିନ୍ନ ରଙ୍ଗର ଲିପ୍‌ଷ୍ଟିକ୍‌ ଲଗାଇଥା’ନ୍ତି। ହେଲେ ମାଛଟିଏ ଲିପ୍‌ଷ୍ଟିକ୍‌ ଲଗାଇଲେ କେମିତି ଲାଗିବ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଗାଲାପାଗୋସ୍‌ ଆଇସ୍‌ଲାଣ୍ଡରେ ଦେଖାଯାଉଥିବା ଏକ ପ୍ରକାରର ମାଛ ପ୍ରଜାତିର ଓଠ ପ୍ରକୃତରେ ଲାଲ୍‌, ଯାହାକି ଲାଲ୍‌ ଲିପ୍‌ଷ୍ଟିକ୍‌ ଲଗାଇବାର ଭ୍ରମ ସୃଷ୍ଟି କରିଥାଏ। ଏହି ମାଛର ଆଗ ଦୁଇ ପକ୍ଷୀ ପରି ପାଦ କାର୍ଯ୍ୟ କରିଥାଏ। ଫଳରେ ଏମାନେ ପାଣିରେ ନ ପହଁରି ତଳ ଭାଗରେ ଚାଲିଥା’ନ୍ତି।
ସୁଣ୍ଡା କୋଲୁଗୋ: ଏହା ଏକ ପ୍ରଜାତିର ଉଡ଼ନ୍ତା ଲେମର୍‌। ଏହା ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରରେ ଦେଖିବାକୁ ମିଳିଥାଏ। ଏହା ମୁଖ୍ୟତଃ ଏକ ରାତ୍ରିଚର ପ୍ରାଣୀ। ଗଛର କଅଁଳ ପତ୍ର, ଫୁଲ, ଫଳ ଆଦି ଏହାର ପ୍ରଧାନ ଖାଦ୍ୟ।
ସାଟାନିକ ଲିଫ୍‌ ଟେଲ୍‌ଡ ଜେକୋ: ମାଡାଗାସ୍କାର ଆଇସ୍‌ଲାଣ୍ଡରେ ଥିବା ଜଙ୍ଗଲରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। ଏହାର ମୁଣ୍ଡ ଶିଙ୍ଗଯୁକ୍ତ ହୋଇଥିବା ବେଳେ ଆଖିର ରଙ୍ଗ ଲାଲ୍‌ ଏବଂ ଲାଞ୍ଜ ଶୁଖିଲା ପତ୍ର ଭଳି ଦେଖାଯାଇଥାଏ। ଏହା ଲାଲ୍‌, ଧୂସର, ଟ୍ୟାନ୍‌ ଏବଂ ବାଇଗଣି ଭଳି ବିଭିନ୍ନ ରଙ୍ଗର ହୋଇଥା’ନ୍ତି। ଏମାନଙ୍କ ଓଜନ ମାତ୍ର ୪-୬ ଗ୍ରାମ ହୋଇଥିବା ବେଳେ ଲମ୍ବ ପ୍ରାୟ ୯୦ ମିଲିମିଟର ହୋଇଥାଏ। ଏମାନେ ଛୋଟ ଛୋଟ ପୋକ ଖାଇଥା’ନ୍ତି।

Share