କରୋନାରୁ ରକ୍ଷା ପାଇଲେ ବି ଏଥି ଯୋଗୁ ଯାଉଛି ଜୀବନ…

ଇନ୍ଦୋର,୫।୫: କରୋନା ସଂକ୍ରମଣ ନେଇ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, କରୋନାରୁ ଆକ୍ରାନ୍ତ ରକ୍ଷା ପାଇଲେ ବି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟବହୃତ ହେଉଥିବା ଔଷଧ ଯୋଗୁ ଶରୀରରେ ଅତ୍ୟଧିକ ସାଇଟୋକାଇନ୍‌ ସୃଷ୍ଟି ହେଉଛି। ଫଳରେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଯୋଗୁ ଫୁସ୍‌ଫୁସ୍‌ ନଷ୍ଟ ହୋଇ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶରୀରରେ ଆଣ୍ଟିଜେନ ପ୍ରବେଶ କଲେ ସାଇଟୋକାଇନ୍‌ ସତର୍କ ସୂଚନା ଜାରି କରିଥାଏ। ଏହାଯୋଗୁ ଶରୀରରେ ଅଧିକ ସଂଖ୍ୟକ ସାଇଟୋକାଇନ୍‌ ସୃଷ୍ଟି ହୋଇଥାଏ। ଏହାର ସଂଖ୍ୟା ନିଦ୍ଦିଷ୍ଟ ସୀମା ମଧ୍ୟରେ ନ ରହି ଅଧିକ ହେଲେ ସାଇଟୋକାଇନ୍‌ ଷ୍ଟ୍ରମ୍‌ ଫୁସ୍‌ଫୁସ୍‌କୁ କ୍ଷତି ପହଞ୍ଚାଇବା ଆରମ୍ଭ କରିଥାଏ ବୋଲି ଚିକିତ୍ସକ ମତପୋଷଣ କରିଛନ୍ତି। ଫଳରେ ବାଡ଼ କ୍ଷେତ ଖାଇବା ଭଳି ଏହାଯୋଗୁ ପରବର୍ତ୍ତୀ ସମୟରେ ହାର୍ଟ, କିଡ୍‌ନୀ, ଲିଭର ଆଦି ଖରାପ ହେଉଥିବା ଚିକିତ୍ସକ କହିଛନ୍ତି।