ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାତି ୩ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶତାଧିକ କୁନିକୁନି ପିଲାଙ୍କ ମଧ୍ୟରେ ସାଧବ ବୋହୂ ଓ ସାଧବ ପୁଅ ସମ୍ମିଳନୀ ହୋଇଥିଲା। ଏହି ଅବସରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଅବିକଳ ନମୁନା ପ୍ରଦର୍ଶିତ ହୋଇଥିଲା । ସାଧବ ବୋହୂମାନେ ଘଟ ପୂଜା କରି ନୌକାରେ ବାଣିଜ୍ୟ କରିବା ପାଇଁ ସାଧବ ପୁଅମାନଙ୍କୁ ବିଦାୟ ଦେବା ଆକର୍ଷଣୀୟ ହୋଇଥିଲା।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଯୋଗଦେଇ ଓଡ଼ିଶାର ପାରାଦୀପ ପରେ ଢେଙ୍କାନାଳର ବୋଇତ ବନ୍ଦାଣ ଉତ୍ସବ ବେଶ୍‌ ଆକର୍ଷଣୀୟ ଏବଂ ନିଆରା ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ ଆମ ଏହି ପ୍ରାଚିନ ପରମ୍ପରାକୁ ଭବିଷ୍ୟତ ପିଢ଼ିଙ୍କ ମଧ୍ୟରେ ସଚେତନ କରିବା ପାଇଁ ଏଭଳି ଉତ୍ସବ ପ୍ରତିବର୍ଷ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ସନ୍ଧ୍ୟାତାରା ସାହିତ୍ୟ ସଂସଦ ସାଧାରଣ ସମ୍ପାଦକ ଶରତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବରେ ବହୁ ଜନସମାଗମ ହୋଇଥିଲା।

Share