ଓ୍ବାଶିଂଟନ୍, ୨୩।୧୧: ବିଶ୍ୱରେ ପ୍ରତି ୧୧ ମିନିଟ୍ରେ ଜଣେ ମହିଳା ନିଜ ପରିଚିତ ବା ସମ୍ପର୍କୀୟଙ୍କ ଦ୍ୱାରା ହତ୍ୟାର ଶିକାର ହେଉଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ଦୃଷ୍ଟିରେ ରଖି ଜାତିସଂଘ ମହା ସଚିବ ଆଣ୍ଟୋନିଓ ଗୁଟେରସ୍ ଏହା କହିଛନ୍ତି। ବିଶ୍ୱରେ ମହିଳା ତଥା ଯୁବତୀମାନଙ୍କ ଉପରେ ହିଂସା କ୍ରମାଗତ ବଢ଼ିଚାଲିଛି। ସେମାନଙ୍କୁ ଏ ପ୍ରକାର ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ। ବିଶ୍ୱରେ ବ୍ୟାପକ ହେଉଥିବା ହିଂସାର ଦୂରୀକରଣ ସକାଶେ ବିଭିନ୍ନ ଦେଶର ସରକାର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନଭେମ୍ବର ୨୫ରେ ପାଳନ ହେବାକୁ ଥିବା ଅନ୍ତର୍ଜାତୀୟ ‘ଏଲିମିନେଶନ୍ ଅଫ୍ ଭାଓଲେନ୍ସ ଏଗେଷ୍ଟ ଓମେନ୍’ ଦିବସ ପାଖେଇ ଆସୁଥିବାବେଳେ ଗୁଟେରସ ମହିଳା ହିଂସାକୁ ନେଇ ନିଜ ମତ ପ୍ରକାଶ କରିଛନ୍ତି।
କୋଭିଡ୍ ମହାମାରୀ ଯୋଗୁ ବିଶ୍ୱ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ବହୁ ଲୋକଙ୍କ ବ୍ୟବସାୟିକ କାରବାର ସାଙ୍ଗକୁ ରୋଜଗାର ପନ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଥିଲା। ଏଥିଯୋଗୁ ବଢ଼ିଥିବା ମାନସିକ ଚାପ ମହିଳାଙ୍କ ପ୍ରତି ହେଉଥିବା ହିଂସାର ମୁଖ୍ୟ କାରଣ ବୋଲି କୁହାଯାଇପାରିବ। ଏହା ବ୍ୟତୀତ ମହିଳାମାନେ ଅନ୍ଲାଇନ୍ ହଂସାର ଶିକାର ମଧ୍ୟ ହେଉଛନ୍ତି। ସୋସିଆଲ ମିଡିଆରେ ଅନେକ ଅସାମାଜିକ ପ୍ରବୃତ୍ତିର ଯୁବଗୋଷ୍ଠୀ ଯୁବତୀମାନଙ୍କୁ କମେଣ୍ଟ ସାଙ୍ଗକୁ ସେମାନଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଭାରଇରାଲ କରୁଥିବା ଦେଖାଯାଉଛି। ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ପ୍ରତ୍ୟେକ ବ୍ୟକ୍ତି ସ୍ବର ଉତ୍ତୋଳନ କରିବା ଜରୁରୀ ବୋଲି ସେ କହିଛନ୍ତି।