ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ନଅ ବର୍ଷ ପୂରଣ ହେବା ଅବସରରେ ଏକ ଟୁଇଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଗତ ନଅ ବର୍ଷରେ ପ୍ରତ୍ୟେକ ନିଷ୍ପତ୍ତି ନିଆଯାଇଛି। ଆଜି ଯେବେ ଆମେ ରାଷ୍ଟ୍ରର ସେବା ପାଇଁ ୯ ବର୍ଷ ପୂରଣ କରୁଛି, ଯାହା ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ଆମେ ଆହୁରି କଠିନ ପରିଶ୍ରମ କରିବୁ। ଏକ ବିକଶିତ ଭାରତ ନିର୍ମାଣ କରିବୁ।
ଆଜିଠାରୁ ସାରା ଦେଶରେ ଏକ ବିଶାଳ ସ୍ବତନ୍ତ୍ର ଯୋଗାଯୋଗ ଅଭିଯାନ ଚଳାଇବାକୁ ଭାଜପା ଯୋଜନା କରିଛି। ଦଳ ଏକ ବିବୃତ୍ତିରେ କହିଛି, ଦେଶ ଗତ ନଅ ବର୍ଷ ମଧ୍ୟରେ ‘ରାଷ୍ଟ୍ର ପ୍ରଥମ’ ମନ୍ତ୍ର ସହିତ ପ୍ରତ୍ୟେକ କ୍ଷେତ୍ରରେ ‘ଅଭୂତପୂର୍ବ’ ବିକାଶ ଦେଖିଛି। ବିରୋଧୀ ଦଳର ବର୍ଜନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂତନ ସଂସଦ ଭବନର ଉଦ୍ଘାଟନ କରିଛନ୍ତି। ସେ ଏହି ନୂତନ ଭବନକୁ ‘ଗଣତନ୍ତ୍ରର ମନ୍ଦିର’ ଭାବରେ ବର୍ଣ୍ଣନା କରିଛନ୍ତି। ୨୦୧୪ ମେ’ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ।