ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ା୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ରବିବାର ସକାଳ ସୁଦ୍ଧା ଏହା ଅବପାତ(ଡିପ୍ରେସନ)ରେ ପରିଣତ ହେବ। ୨୪ ତାରିଖରେ ଲଘୁଚାପ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗ ଦେଇ ଗତିକରି ଆହୁରି ବଳ ଗୋଟାଇ ଭୟଙ୍କର ସାମୁଦ୍ରିକ ଝଡ଼ ‘ୟାସ୍‌’ରେ ପରିଣତ ହେବ। ୨୬ ତାରିଖ ସକାଳେ ଉତ୍ତର ଓଡ଼ିଶା କିମ୍ବା ବାଂଲାଦେଶ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ବାତ୍ୟା କେଉଁ ସ୍ଥାନ ଦେଇ ଗତି କରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଲଘୁଚାପ ଅବପାତ ନେବା ପରେ ରବିବାର ସନ୍ଧ୍ୟା ସୁଦ୍ଧା ବାତ୍ୟାର ଲ୍ୟାଣ୍ଡଫଲ୍‌ ସମ୍ପର୍କରେ କୁହାଯାଇପାରିବ ବୋଲି ଭାରତୀୟ ପାଣିପାଗ ବିଭାଗର ଡାଇରେକ୍ଟର ଜେନେରାଲ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସ ଜରିଆରେ ସମୀକ୍ଷା କରିଛନ୍ତି। ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ବିପର୍ଯ୍ୟୟ ପରିଚାଳନା ବେଳେ ଆମ ପାଇଁ ସବୁ ଜୀବନ ମୂଲ୍ୟବାନ। ତଳିଆ ଅଞ୍ଚଳ ଏବଂ ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜିଲାପାଳ ଓ ଏସ୍‌ପିମାନେ ଏହି କାର୍ଯ୍ୟକୁ ବ୍ୟକ୍ତିଗତ ଭାବେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟ ଶାସନ ସଚିବ ବାତ୍ୟା ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନିୟମିତ ମନିଟରିଂ କରି ଜିଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Share