Categories: ଜାତୀୟ

ପ୍ରତି ବୁଧବାର ସାଇକେଲରେ ଅଫିସ ଯିବେ ସରକାରୀ କର୍ମଚାରୀ…

କାଭରତ୍ତି, ୫।୪ : ଦ୍ରୁତଗତିରେ ବାୟୁ ଗୁଣବତ୍ତା ସମଗ୍ର ବିଶ୍ୱରେ ଖରାପ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ଭାରତରେ ଅବସ୍ଥା ଅଧିକ ଖରାପ ହେବାରେ ଲାଗିଛି। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପାଣିପାଗ ବିଜ୍ଞାନୀ ଏବଂ ପରିବେଶବିତ୍‌ ମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହିମର୍ମରେ କେନ୍ଦ୍ର ଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୁଧବାର ଏଠାରେ ସରକାରୀ କର୍ମଚାରୀଙ୍କ ପାଇଁ ’ସାଇକେଲ ଦିବସ’ ପାଳନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ଆଦେଶ ଏପ୍ରିଲ ୬ରୁ କାର୍ଯ୍ୟକାରୀ ହେବ । ଲାକ୍ଷାଦୀପ ପ୍ରଶାସନର ଆଦେଶ ଅନୁଯାୟୀ, ଏପ୍ରିଲ ୬ରୁ ପ୍ରତ୍ୟେକ ବୁଧବାର ରାଜ୍ୟରେ ସାଇକେଲ ଦିବସ ପାଳନ କରାଯିବ।

ଏହି କ୍ରମରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରତ୍ୟେକ ବୁଧବାର ଦିନ ସମସ୍ତ ସରକାରୀ କର୍ମଚାରୀ ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସିବେ। ପ୍ରଶାସନ ମଧ୍ୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ପ୍ରଶାସନ ଅନୁଯାୟୀ, ୨୮ ଜାନୁୟାରୀ ୨୦୨୨ ରେ ଅନୁଷ୍ଠିତ ୨୩ତମ ଲାକ୍ଷାଦ୍ୱୀପ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଠକରେ ଦିଆଯାଇଥିବା ପରାମର୍ଶ ଆଧାରରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କେବଳ ଅକ୍ଷମ ଏବଂ ଅସୁସ୍ଥ ସରକାରୀ କର୍ମଚାରୀଙ୍କୁ ଏହି ଆଦେଶରୁ ମୁକ୍ତ କରାଯିବ ବୋଲି ପ୍ରଶାସନ କହିଛି।

ସୂଚନାଯୋଗ୍ୟ ଯେ ନିକଟରେ ଜାତିସଂଘର ପରିବେଶ ସୁରକ୍ଷା ଏଜେନ୍ସି ବିଶ୍ୱର ବିଭିନ୍ନ ଦେଶର ବାୟୁ ଗୁଣବତ୍ତା ର଼୍ୟାକିଂ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ପୃଥିବୀର ୫୦ଟି ଖରାପ ବାୟୁ ଗୁଣବତ୍ତା ସହର ମଧ୍ୟରୁ ୩୫ଟି ଭାରତରେ ଅଛି।

Share