Categories: ଜାତୀୟ

ଶରଦ ପାଓ୍ବାରଙ୍କ ସହ ଅମିତ୍‌ ଶାହଙ୍କ ଗୋପନ ବୈଠକ

ନୂଆଦିଲ୍ଲୀ,୨୮।୩ : ଦୁର୍ନୀତି ଅଭିଯୋଗ ଯୋଗୁ ମହାରାଷ୍ଟ୍ର ମେଣ୍ଟ ସରକାର ସଙ୍କଟରେ ଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ସହ ଗୋପନ ବୈଠକ କରିଛନ୍ତି। ବୈଠକ ସମ୍ପର୍କରେ କିଛି କହିବାକୁ ମନା କରିବା ସହ ସବୁ କିଛି ସର୍ବସାଧାରଣ କରିବାର ଆବଶ୍ୟକତା ନାହିଁ ବୋଲି ପାଓ୍ବାର କହିଛନ୍ତି। ଏହି ବୈଠକ ପଛର ଉଦ୍ଦେଶ୍ୟ କ’ଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ମହାରାଷ୍ଟ୍ର ମେଣ୍ଟ ସରକାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ଏହାର କାରଣ ହୋଇପାରେ ବୋଲି ଆଲୋଚନା କରାଯାଉଛି।

ଗୁଜରାଟର କିଛି ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ପାଓ୍ବାରଙ୍କ ସହ ତାଙ୍କ ଦଳର ପ୍ରମୁଖ ନେତା ପ୍ରଫୁଲ ପଟେଲ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଅହମ୍ମଦାବାଦ ସ୍ଥିତ ଫାର୍ମହାଉସରେ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଭଳି ସଙ୍ଗୀନ ଅଭିଯୋଗ ଆଣି ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି।

Share