ସରକାରୀ ଜମିରୁ ୧୨ ପରିବାରଙ୍କୁ ଉଚ୍ଛେଦ ନୋଟିସ

ସିମୁଳିଆ, ୩୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀଆଡ଼ିକୁ ଲାଗି ବସବାସ କରୁଥିବା ୧୨ ପରିବାରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ବାରମ୍ବାର ନୋଟିସ୍‌ ପରେ ମଧ୍ୟ ବସ୍ତିବାସିନ୍ଦା ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ନାରାଜ ଅଛନ୍ତି। ଅପରପକ୍ଷେ ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ଜମି ଉନ୍ନତକିସମ ଯୋଜନାରେ ରହିଛି। ଏହି ସ୍ଥାନକୁ ଲାଗି ଏକ ସରକାରୀ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲୁରହିଛି ା ତେବେ ଭୂମିହୀନମାନଙ୍କୁ ପ୍ରଶାସନ ପକ୍ଷରୁ ଅନ୍ୟତ୍ର ଜମି ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଏହି ବସ୍ତିବାସିନ୍ଦା ଚୁପ୍‌ ବସିଥିବା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝି ସୂଚନା ଦେଇଛନ୍ତି ା
ମାର୍କୋଣା ପଞ୍ଚାୟତ ରିଆ ମୌଜାର ଖାତା ନଂ. ୫୫୦, ଖସଡ଼ା ୧୬୮୪ରେ ଥିବା ୨ଏକର ୪୩ ଡିସିମିଲ ଜମିରେ ଗତ ୨୩ବର୍ଷ ହେଲା ବିଭିନ୍ନ ୨୫ଟି ପରିବାରର ୧୫୦ଜଣ ଜନସାଧାରଣ ବସବାସ କରୁଛନ୍ତି ା ସେମାନଙ୍କ ମଧ୍ୟରେ ୨୦ଜଣ ପିଲାଙ୍କ ସମତେ ୧୨ଜଣ ବୃଦ୍ଧାବୃଦ୍ଧ ମଧ୍ୟ ଅଛନ୍ତି। ଏହି ପିଲାଙ୍କ ମଧ୍ୟରେ ୬ଜଣ ଅଙ୍ଗନୱାଡ଼ିକୁ ଯାଉଥିବା ବେଳେ ୧୫ଜଣ ସ୍କୁଲ ଯାଉଛନ୍ତି। ଏଠାରେ ବସବାସ କରୁଥିବା ଅଧିକାଂଶ ବସ୍ତିବାସିନ୍ଦା ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପୋଷଣ କରନ୍ତି। ଜନସାଧାରଣଙ୍କ ଚଳଣି ପାଇଁ ସେମାନଙ୍କୁ ବିଦ୍ୟୁତ, ସରକାରୀ ଭତ୍ତା ଓ ଚାଉଳ ମଧ୍ୟ ଯୋଗାଇ ଦିଆଯାଉଛି। ତେବେ ଜମିପଟ୍ଟା ନ ଥିବାରୁ କାହାରିକୁ ପାଇଖାନା ଯୋଗାଇ ଦିଆଯାଇନାହିଁ। ପ୍ରତ୍ୟେକ ବର୍ଷ ତହସିଲ ପକ୍ଷରୁ ନୋଟିସ୍‌ ଜାରି କରାଯାଇ ଖଜଣା ଆଦାୟ କରାଯାଉଛି ା
ଏ ସମ୍ପର୍କରେ ୬୫ବର୍ଷୀୟା କୁପୁରା ହଁାସଦା କହନ୍ତି ସରକାର ଜମି ସିନା ଯୋଗାଇ ଦେବେ କିନ୍ତୁ ଘର ନିର୍ମାଣ ପାଇଁ ଜନସାଧାରଣଙ୍କ ନିକଟରେ ଅର୍ଥ ନ ଥିବାରୁ ସେମାନେ ନାଚାର ଅଛନ୍ତି ା ସେହିପରି ଏନ୍‌. ରାମା ରାଓ, ସୁକୁଲୁ ମାରାଣ୍ଡି, ଗଜେନ୍ଦ୍ର ଓଝା, ଫୁଲମଣି ହେମ୍ବ୍ରମ, ରେଖା ଦାସ ପ୍ରମୁଖ ଏହି ସ୍ଥାନ ଛାଡ଼ିବା ପାଇଁ ନାରାଜ ଅଛନ୍ତି। ପ୍ରଶାସନ ଯେକୌଣସି ସମୟରେ ଏହି ବସ୍ତିକୁ ଉଚ୍ଛେଦ କରିପାରେ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି ା ଅପରପକ୍ଷେ ପ୍ରକୃତ ହିତାଧିକାରୀମାନଙ୍କୁ ଜମି ସହିତ ଘର ଯୋଗାଇ ଦିଆଗଲେ ସେମାନେ ଏହି ସ୍ଥାନ ଛାଡ଼ିପାରନ୍ତେ ା