ସରକାରୀ ଖାତାକୁ ଆସିଲା ଏକରେ ଜାଗା

ଅନୁଗୋଳ ଅଫିସ,୧୩।୬: ଅନୁଗୋଳ ସହରରେ ଜବରଦଖଲରେ ଥିବା ସରକାରୀ ଜାଗାକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ଜୋରଦାର ଉଚ୍ଛେଦ ପ୍ରକ୍ରିୟା ଜାର ରହିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ଘର ଓ ଦୋକାନଘରକୁ ବୁଲଡୋଜର ଲାଗାଇ ଉଚ୍ଛେଦ କରିଥିବା ବେଳେ ଗୋପବନ୍ଧୁ ପାର୍କ ପଛ ପାର୍ଶ୍ୱରେ ଥିବା ପ୍ରେସ୍‌ କ୍ଲବ କୋଠାକୁ ମଧ୍ୟ ଅକ୍ତିଆରକୁ ନେଇଛନ୍ତି। ଏହି ସମୟରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ତହସିଲଦାର ଶାଶ୍ୱତ ଦାସ, ତାମଡା ଅଧିକାରୀ ସତ୍ୟାନନ୍ଦ ଦାସ, ସଦର ଥାନା ଏସ୍‌ଆଇ ସତ୍ୟରଞ୍ଜନ ଲେଙ୍କା, ସଦର ଆରଆଇ, ତାମଡା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୌରପାଳିକାର କର୍ମଚାରୀମାନେ ଉପସ୍ଥିତ ଥିଲେ।
ଅନୁଗୋଳ ଉପଜିଲାପଳଙ୍କ ନିର୍ଦ୍ଦେଶକ୍ରମେ ସହରରେ ଦୀର୍ଘଦିନ ପରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ହେବା ପରେ ପ୍ରଶାସନିକ ଅଧିକାରୀମାନେ ସରକାରୀ ଜାଗାରେ ଥିବା ପ୍ରେସ୍‌ କ୍ଲବ ଘରକୁ ନିଜ ଅକ୍ତିଆରକୁ ଆଣିଥିଲେ। ପ୍ରସ୍‌ କ୍ଲବରେ ପଡ଼ିଥିବା ତାଲାକୁ ଭାଙ୍ଗି ନୂତନ ତାଲା ପକାଇବା ସହ ଜଉମୁଦା ଦେଇ ସିଲ୍‌ କରିଥିଲେ। ଏହାପରେ ହରିମହୁରୀ ଛକରୁ ହାତୀଶାଳପଡ଼ା ରାସ୍ତାପାର୍ଶ୍ୱରେ ସରକାରୀ ଜାଗାକୁ କବଜା କରି ରଖିଥିବା ଜବରଦଖଲକାରୀଙ୍କୁ ହଟାଯାଇଥିଲା। ଦୀର୍ଘ ଦିନ ହେବ ସରକାରୀ ଜାଗାକୁ ଅକ୍ତିଆର କରି ବ୍ୟବସାୟ କରୁଥିବା ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। ସେଠାରେ ଥିବା ବିୟୁଟି ପାଲର, ଚା, ଜଳଖିଆ ଆଦିି ଦୋକାନକୁ ଭଙ୍ଗା ଯାଇଥିଲା। ଏହାପରେ ସେଠାରେ ନିର୍ମାଣ ହୋଇଥିବା ଏକ ଦୁଇ ମହଲା ଗୃହକୁ ମଧ୍ୟ ବୁଲଡ଼ୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ଏହି ଉଚ୍ଛେଦ ସମୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। କେତେଜଣ ଯୁବକ ବିରୋଧ କରିଥିଲେ। ବୁଲଡୋଜର ବୁଲିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ପରେ ପୋଲିସ, ତାମାଡା ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପ୍ରଶାସନିକ ଅଧିକାରୀମାନେ ଉକ୍ତ ଘରଗୁଡ଼ିକୁ ଭାଙ୍ଗି ଦେଇଥିଲେ। ସେଠରେ ଜବରଦଖଲ କରିଥିବା ବ୍ୟକ୍ତିମାନେନିଜ ଘର ନ ଭାଙ୍ଗିଲେ, ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିବ ବୋଲି କହିଥିଲେ। ଏ ନେଇ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସରକାରୀ ଜାଗାକୁ ଜବର ଦଖଲରୁ ମୁକ୍ତ କରାଯିବ। ଏନେଇ ଉଚ୍ଛେଦ ପ୍ରକ୍ରିୟା ଜାରି ରଖାଯିବ।