ଇଭିଏମ୍‌ ଅଦଳବଦଳ ଅଭିଯୋଗ: ଗଣତି ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଭାଜପା

ବରଗଡ଼ ଅଫିସ,୭ା୧୨: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୂର୍ବାହ୍ନ ୮ଟାରୁ ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହେବ। ଏହାର ଅବ୍ୟବହିତ ପୂର୍ବରୁ ମତଦାନ ହୋଇଥିବା କିଛି ଇଭିଏମ୍‌କୁ ନେଇ ଅଭିଯୋଗ ଉଠିଛି। ୧୧ ବୁଥ୍‌ରେ ଇଭିଏମ୍‌ ଅଦଳବଦଳ ହୋଇଥିବା ଅଭିଯୋଗ ଆଣି ଭାଜପାର ଏକ ପ୍ରତିନିଧି ଦଳ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମୋନିଷା ବାନାର୍ଜୀଙ୍କୁ ଫେରାଦ ହୋଇଛନ୍ତି। ସେଭଳି ଅଭିଯୋଗ ମିଳିଛି ଏବଂ ସେ ନେଇ ତଦନ୍ତ ଚାଲିଥିବା ଜିଲାପାଳ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଉପନିର୍ବାଚନରେ ବ୍ୟବହୃତ ଇଭିଏମ୍‌ ନମ୍ବରକୁ ନେଇ ଏକ ତାଲିକା ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀଙ୍କୁ ଦିଆଯାଇଥିଲା। ୧୧ ବୁଥ୍‌ରେ ସେହି ନମ୍ବର ଇଭିଏମ୍‌ ବ୍ୟବହାର ହେବା ବଦଳରେ ଅନ୍ୟ ଇଭିଏମ୍‌ ବ୍ୟବହୃତ ହୋଇଥିବା ଭାଜପା ଅଭିଯୋଗ କରିଛି। ଶକ୍ତି(ବୁଥ୍‌ ନଂ-୬୧, ବୈତାଳୀ(ବୁଥ୍‌ ନଂ-୭୩) ଛିନ୍ଦେକେଲା (ବୁଥ୍‌ ନଂ-୧୦୫), ଲୁହୁରାକୋଟ୍‌ (ବୁଥ୍‌ ନଂ-୧୪୯), ଖଣ୍ଡସିବାଞ୍ଜି (ବୁଥ୍‌ ନଂ-୧୭୫), ଭଗତପୁର(ବୁଥ୍‌ ନଂ-୧୮୩), ସତୀଭଟା(ବୁଥ୍‌ ନଂ-୧୯୫), ସିଂଘନପୁର(ବୁଥ୍‌ ନଂ-୨୦୫), ବସ୍ତିପଡ଼ା (ବୁଥ୍‌ ନଂ-୨୧୮), ସର୍ଗିପାଲି(ବୁଥ୍‌ ନଂ-୨୭୦) ଏବଂ ଝୁନଗାପାଲି(ବୁଥ୍‌ ନଂ-୨୯୪)ରେ ଏଭଳି ହୋଇଥିବା ଭାଜପା ଅଭିଯୋଗ କରିଛି।

ସେହିପରି ଗତ ୬ ତାରିଖ ୩ଟି ସିଲ୍ଡ ବକ୍ସରେ ରହିଥିବା ପୋଷ୍ଟାଲ ବାଲାଟ୍‌କୁ ପ୍ରାର୍ଥୀଙ୍କ ମନୋନୀତ ଏଜେଣ୍ଟଙ୍କ ଅନୁପସ୍ଥିତିରେ ପଦ୍ମପୁର ଟ୍ରେଜେରୀ ଅଫିସରୁ ରିଟର୍ନିଂ ଅଫିସକୁ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଭାଜପା ଅଭିଯୋଗ କରିଛି। ଫଳରେ ମତଦାନକୁ ନେଇ ଅନିୟମିତତା ହୋଇଥିବା ଆଶଙ୍କା କରି ଗଣତି ପୂର୍ବରୁ ଏହାର ତ୍ୱରିତ୍‌ ତଦନ୍ତ ଏବଂ ବିହିତ କାର୍ଯାନୁଷ୍ଠାନ ନେବାକୁ ଭାଜପା ଦାବି କରିଛି । ରିଟର୍ନିଂ ଅଫିସର, ଜିଲା ନିର୍ବାଚନ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏଭଳି ଲିଖିତ ଅଭିଯୋଗ କରାଯାଇଛି ବୋଲି ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଛନ୍ତି।